ମିଳିଲା ସ୍ୱିଗି ବୟର ସନ୍ଧାନ : ସାଥୀରେ ଥିବା ଯୁବତୀ ବି ଅଟକ; ନିଜେ ରଚିଥିଲା ଅପହରଣ ନାଟକ

ପୋଲିସ କରିବ ଘଟଣାର ପର୍ଦ୍ଦାଫାଶ; ମଧ୍ୟପ୍ରଦେଶ ରେଳ ଷ୍ଟେସନରେ ପତିତପାବନକୁ ଧରିଲା ରେଳବାଇ ପୋଲିସ

302

କନକ ବ୍ୟୁରୋ : ମିଳିଲା ସ୍ୱଗି ବଏ ପତିତପାବନ ପୃଷ୍ଟିର ସନ୍ଧାନ । ମଧ୍ୟପ୍ରଦେଶର ରେଳ ଷ୍ଟେସନରୁ ଧରିଲା ଆରପିଏଫ୍ । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା । ଜଣେ ଆଇଆଇସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ମଧ୍ୟପ୍ରଦେଶ ଯାଇଛି । ପତିତପାବନକୁ ପଚରାଉଚରା କରାଯାଉଛି । ଖୁବଶୀଘ୍ର ତାକୁ ଓଡ଼ିଶା ଅଣାଯିବ । ପ୍ରେମ ପାଇଁ ନିଜେ ରଚିଥିଲା ଅପହରଣର ନାଟକ ।

କିଡନାପ୍ କରାଯାଇଥିବା ନେଇ ତାଙ୍କ ପତ୍ନୀଙ୍କୁ ଅଡିଓ ମେସେଜ୍ ପଠାଇଥିଲା ପତିତପାବନ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଡିଓ ମେସେଜରୁ ତାଙ୍କୁ ଅପହରଣ କରାଯାଇନଥିବା ପୋଲିସ ସନ୍ଦେହ କରିଥିଲା । ସେ ମଧ୍ୟପ୍ରଦେଶ ପଳାଇଥିବା ସନ୍ଦେହ କରି ମଧ୍ୟପ୍ରଦେଶ ଆରପିଏଫ୍ ସହ ଯୋଗାଯୋଗ କରିଥିଲା । ମଧ୍ୟପ୍ରଦେଶ ଆରପିଏଫ୍ ସହାୟତାରେ ପତିତପାବନ ଓ ତାଙ୍କ ସହ ଥିବା ଯୁବତୀକୁ ଅଟକ ରଖାଯାଇଛି ।

ମିଥ୍ୟା ଅପହରଣ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ୱର ଡିସିପି । ତାଙ୍କ କହିବାନୁଯାୟୀ, ଜଣେ ଯୁବକଙ୍କୁ ଅପହରଣ ହୋଇଥିବା ଖବର ମିଳିଥିଲା । ଆଇଆଇସି ଏବଂ ସ୍ପେଶାଲ ସ୍କ୍ୱାର୍ଡ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା । ସମସ୍ତ ତଦନ୍ତ କରିବା ପରେ ଗତକାଲି ସୂଚନା ମିଳିଥିଲା ଯୁବକ ଜଣଙ୍କ ଜଣେ ଯୁବତୀଙ୍କ ସହିତ ଟ୍ରେନରେ ଯାଉଥିବାର ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା । ଆରପିଏଫକୁ ଅନୁରୋଧ କ୍ରମେ ଉଭୟଙ୍କୁ ମଧ୍ୟପ୍ରଦେଶର ପୋଲିସ ଷ୍ଟେସନରେ ଅଟକ ରଖାଯାଇଛି । ଓଡିଶାରୁ ଏକ ଟିମ୍ ଦୁଇଜଣଙ୍କୁ ଆଣିବା ପାଇଁ ବାହାରିଛନ୍ତି । ସେଠାରେ ପହଞ୍ଚି ତାଙ୍କୁ ଧରିକି ଆଣିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ । କିନ୍ତୁ ପ୍ରାଥମିକ ତଦନ୍ତୁ ଜଣାପଡିଛି ଯେ ସେ ନିଜ ଇଚ୍ଛାରେ ଯାଇଛନ୍ତି । ତାଙ୍କୁ କୌଣସି ଅପହରଣ କରାଯାଇନାହିଁ ।

ଏପଟେ ପତିତପାବନଙ୍କ ସହ ଥିବା ଯୁବତୀଙ୍କ ପରିବାର ଲୋକେ ଗୋପ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ପତିତପାବନ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଝିଅକୁ ଉଠାଇ ନେଇ କେଉଁ ଆଡେ ପଳାଇ ଯାଇଥିବା ଅଭିଯୋଗ କରିଛନ୍ତି । ଯୁବତୀ ଜଣଙ୍କ ଘର ଛାଡିବା ପୂର୍ବରୁ ଏକ ହାତ ଲେଖା ଚିଠି ଛାଡି ଯାଇଛନ୍ତି ।