ସ୍ୱିଗି ବୟ ନିଜ ରଚିଥିଲା ନିଜ ଅପହରଣ ନାଟକ । ସ୍ତ୍ରୀଙ୍କୁ ଧୋକା ଦେଇ ଆଉ ଜଣେ ଯୁବତୀଙ୍କ ସହ ଚାଲିଯାଇଥିଲା ମଧ୍ୟପ୍ରଦେଶ ।

418

କନକ ବ୍ୟୁରୋ : ଅପହରଣ ନୁହେଁ ବରଂ ପ୍ରେମିକାଙ୍କ ସହ ଫୁର ମାରିଥିଲେ ସ୍ୱିଗି ଡେଲିଭରୀ ବୟ । ମଧ୍ୟପ୍ରଦେଶରୁ ଧରାପଡିବା ପରେ ଏହି ପୂରା ମାମଲାର ପର୍ଦ୍ଦାଫାଶ ହୋଇଛି । ସୂଚନା ଅନୁସାରେ ଧନ ବୋଲି ଡାକି ନିଜ ସ୍ତ୍ରୀଙ୍କୁ ପଠାଇଥିବା ଅଡିଓ ହିଁ ପତିତପାବନଙ୍କୁ ଧରା ପକାଇ ଦେଇଥିଲା । ୨ଟି ଭିନ୍ନ ଭିନ୍ନ ଲୋକେସନରେ ଏବଂ ଅଡିଓରେ ଥିବା ସ୍ୱର ହିଁ ପୋଲିସକୁ ଖୋରାକ ଯୋଗାଇଥିଲା ଡେଲିଭରୀ ବୟଙ୍କ ଉପରେ ତଦନ୍ତକୁ କେନ୍ଦ୍ରୀଭୂତ କରିବା ପାଇଁ ।

ଦୁଇ ଦିନ ତଳେ କେହି ଦୁବୃର୍ତ୍ତ ତାଙ୍କୁ ଅପହରଣ କରି ନେଇଛନ୍ତି ବୋଲି ସ୍ତ୍ରୀଙ୍କୁ ଫୋନ କରି ଏମିତି କହୁଥିଲେ ସ୍ୱିଗି ବୟ ପତିତପାବନ ପୃଷ୍ଟି । କିଏ ଜାଣିଥିଲା, ଏହା ନାଟକ ଥିଲା, ନିଜ ସ୍ତ୍ରୀକୁ ଠକିବା ପାଇଁ ଏକ ବାହାନା ଥିଲା । ଆଉ ଏହି ବାହାନାରେ ସ୍ତ୍ରୀକୁ ଛାଡି ପ୍ରେମିକା ସହ ଫେରାର ହେବା ପାଇଁ ପ୍ଲାନ ହୋଇଥିଲା ।

ନାଟକ ଥିଲା ଅପହରଣ । ମଧ୍ୟପ୍ରଦେଶରୁ ଯୁବତୀଙ୍କ ସହ ଧରାପଡିଲେ
ସ୍ୱିଗି ବୟ । ପତିତପାବନ କୁଆଡେ ଗଲେ, କେଉଁଠି ଅଛନ୍ତି, ଓଡିଶା ପୋଲିସ ଖୋଜୁଥିବାବେଳେ ମଧ୍ୟପ୍ରଦେଶର ଏକ ରେଳ ଷ୍ଟେସନରୁ ତାଙ୍କୁ ଠାବ କରାଯାଇଛି । ତାଙ୍କ ସହ ଜଣେ ଯୁବତୀ ମଧ୍ୟ ଥିବା ଦେଖିବାକୁ ମିଳିଛି । ତାଙ୍କୁ ଓଡିଶା ଆଣିବା ପାଇଁ ଜଣେ ଆଇଆଇସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ମଧ୍ୟପ୍ରଦେଶ ଯାଇଛି ।

ଅପହରଣ କରାଯାଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲା । କିନ୍ତୁ ସେ ପଠାଇଥିବା ଅଡିଓ ମେସେଜ୍ ପୋଲିସର ସନ୍ଦେହକୁ ବଢ଼ାଇଥିଲା । ପୋଲିସ ସନ୍ଦେହ କରିଥିଲା,
– ଛୁରୀ ମାଡର ଶିକାର ହୋଇଥିବା ବ୍ୟକ୍ତି ଉଚ୍ଚାରଣ କରିଥିବା ଧନ ଶବ୍ଦକୁ ନେଇ ସନ୍ଦେହ ବଢ଼ିଥିଲା
– ମେସେଜ ପଠାଇଥିବା ଲୋକେସନ ଓ ସୁଇଚଅଫ୍ ଲୋକେସନ ଅଲଗା ଅଲଗା ଥିଲା
– କୌଣସି ଅପହରଣକାରୀ ଅପହୃତଙ୍କୁ କେବେ ହେଲେ ଡାଲା ଅଟୋରେ ନିଅନ୍ତି ନାହିଁ
– ଉଦ୍ଧାର ହୋଇଥିବା ପୋଷାକରେ ରକ୍ତ ଦାଗ ନଥିଲା

ଆଉ ଏସବୁ କାରଣକୁ ନେଇ ସନ୍ଦେହ ବଢ଼ିଥିଲା । ଫଳରେ ପୋଲିସର ତଦନ୍ତ ପତିତପାବନ ଉପରେ କେନ୍ଦ୍ରୀଭୂତ ହୋଇଥିଲା । ସିସିଟିଭି ଫୁଟେଜରୁ ସେ ଷ୍ଟେସନ ଭିତରକୁ ଯାଉଥିବା ଦେଖିବାକୁ ମିଳିବା ପରେ ସନ୍ଦେହ ଆହୁରି ବଢ଼ିଥିଲା । ମଧ୍ୟପ୍ରଦେଶ ଟ୍ରେନରେ ସେ ଚଢ଼ିଥିବାର ପ୍ରମାଣ ପାଇବା ପରେ ଆରପିଏଫକୁ ଯୋଗାଯୋଗ କରିଥିଲା ଓଡିଶା ପୋଲିସ ।

ପତିତପାବନଙ୍କ ସହ ଫେରାର ହୋଇଥିବା ଯୁବତୀଙ୍କୁ ନେଇ ଏକ ନିଖୋଜ୍ ମାମଲା ପୁରୀର ଗୋପ ଥାନାରେ ରୁଜୁ ହୋଇଥିଲା । ପ୍ରକୃତରେ ପୋଲିସ ଏହି ନିଖୋଜ ମାମଲାରୁ ପତିତପାବନର ସନ୍ଧାନ ପାଇଥିଲା । ଜଣେ ବିବାହିତ ବ୍ୟକ୍ତି , ଆଉ ଜଣେ ଯୁବତୀଙ୍କ ସହ ପ୍ରେମର ଅନେକ ଘଟଣା ଦେଖିବାକୁ ମିଳେ । କିନ୍ତୁ ଏକ ଅପହରଣ ନାଟକ କରି ନିଜ ସ୍ତ୍ରୀଠାରୁ ଅଲଗା ହୋଇ ଆଉ ଏକ ଯୁବତୀ ସହ ଫେରାର ହେବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି ।