କନକ ବ୍ୟୁରୋ : ପାଣିରେ ଭାସୁଛି ପାଚିଲା ଧାନ । ବାତ୍ୟା ମିଗଜୋମ୍ ପ୍ରଭାବରେ କଳାହାଣ୍ଡି ଜୁନାଗଡ଼ ଅଂଚଳରେ ଦୁଇ ଦିନ ଧରି ଝିପି ଝିପି ବର୍ଷା ହେବା ପରେ ଚାଷ କ୍ଷେତର ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଦିନିଆ ବର୍ଷାଧାନ ବିଲକୁ ବୁଡେଇ ଦେଇଛି । ଜୁନାଗଡ଼ ବ୍ଳକର ପ୍ରାୟ ୨୯ ହଜାର ୮୫୫ ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି ଚାଷୀ । ହେଲେ ଅମଳ ବେଳେ ଜମିରେ ପାଣି ଜମିବାରୁ ସମସ୍ୟା ସ୍ୃଷ୍ଟି ହୋଇଛି । ଜମିରୁ ପାଣି କାଟିବା ପାଇଁ ଚାଷୀ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ପାଣିରେ ପଡି ରହିବାକୁ ପାଚିଲା ଧାନ ଗଜା ହେବାର ଆଶଙ୍କା ବଢି ଯାଇଛି । କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି କ୍ଷତିପୁରଣ ଯୋଗାଇ ଦେବାକୁ ଦାବି ହୋଇଛି ।
ପଶ୍ଚିମ ଓଡିଶା ଭଳି ଉତର ଓଡିଶାରେ ବି ଚାଷୀଙ୍କୁ ନାକେଦମ କରିଛି ଅଦିନିଆ ବର୍ଷା । ବାତ୍ୟା ପ୍ରଭାବରେ ହେଉଥିବା ବର୍ଷା ଛାଡି ଯାଇଛି ସତ ହେଲେ ବଢି ଯାଇଛି ଚାଷୀଙ୍କ ଦୁଃଖ । ବାତ୍ୟା ମିଗଜୋମ୍ ପ୍ରଭାବରେ ନୀଳଗିରିରେ ହୋଇଥିବା ବର୍ଷା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ପାଣିରେ ବୁଡିରହିଛି ପାଚିଲା ଧାନ । ଏପରିକି ବିଲର ରଖାଯାଇଥିବା ଧାନ ଗଦି ବି ଓଦା ହୋଇଯାଇ ଏବେ ଗଜା ଆରମ୍ଭ ହେବାକୁ ଲାଗିଲାଣି । କେବଳ ନୀଳଗିରି ନୁହେଁ ବାଲେଶ୍ୱର ଜିଲ୍ଲା ବଣସୀମା ଅଂଚଳରେ ବି ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି ।
ସେପଟେ ମଲକାନଗିରି ଜିଲ୍ଲା କାଲିମେଳାରେ ଚାଷୀଙ୍କୁ ପ୍ରଭାବିତ କରିଛି ବର୍ଷ । ଡିସେମ୍ବରରେ ଆସିଥିବା ବର୍ଷ ଯୋଗୁଁ ଚାଷବାସ ନଷ୍ଟ ହୋଇଯାଇଛି । କାଲିମେଳା ଓ ପଡ଼ିଆ ବ୍ଳକରେ ମୋଟ ୨୭ହଜାର ହେକ୍ଟର ଜମିରେ ଖରିଫ ଧାନ ଫସଲ କରାଯାଇଛି । ବାତ୍ୟା ପୂର୍ବରୁ ୭୦ ପ୍ରତିଶତ ଧାନ ଅମଳ ହୋଇଯାଇଥିବା ବେଳେ ଅବଶିଷ୍ଟ ୩୦ ପ୍ରତିଶତ ଧାନ କଟା ନହୋଇ ଜମିରେ ପଡ଼ିରହିଛି । କିଛି ଧାନ କଟା ହୋଇଥିବା ବେଳେ ଆଉ କିଛି ଧାନ ଅମଳ କରିବାକୁ ଅପେକ୍ଷା କରିଥିଲେ । ଆଉ ଏତିକି ବେଳେ ବର୍ଷା ସେମାନଙ୍କ ନିଜ ହଜେଇ ଦେଇଛି ।