ଟଙ୍କା ପାଇଁ ଝିଅକୁ ବିକିଦେଲେ! ଟଙ୍କା ଆଗରେ ଫିକା ପଡିଲା ସଂପର୍କ…ବଢିଲା ଝିଅକୁ ଦଲାଲ ହାତକୁ ଟେକିଦେଲେ ପରିବାର ଲୋକେ

ପାପଡାହାଣ୍ଡିରୁ ନେଇ ହରିୟାଣାରେ ବିକିଦେଲେ; ଉଦ୍ଧାର କଲା ପୁଲିସ

853

କନକ ବ୍ୟୁରୋ: ଟଙ୍କା ଲୋଭରେ ଭୁଲିଗଲେ ସଂପର୍କକୁ । ଦଲାଲ ସାଜିବାକୁ ପଛେଇଲେ ନାହିଁ ପରିବାର ଲୋକେ । ୩ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି କରିଦେଇଥିଲେ ସୂଦୂର ହରିୟାଣାର ଜଣେ ଯୁବକଙ୍କୁ । ହରିୟାଣାରୁ ଉଦ୍ଧାର ହୋଇଥିବା ନବରଙ୍ଗପୁରର ଜଣେ ଯୁବତୀ ଏବେ ଏପରି ଅଭିଯୋଗ ଆଣିଛନ୍ତି ନିଜ ପରିବାର ଲୋକଙ୍କ ବିରୋଧରେ । ବିବାହ ନାଁରେ ଯୁବତୀଙ୍କୁ ହରିୟାଣାରେ ୩ ଲକ୍ଷ ଟଂକାରେ ବିକ୍ରି କରିଦେଇଥିଲେ ପରିବାର ଲୋକେ । ଯୁବତୀଙ୍କୁ ସାଥୀରେ ନେବା ପରେ ସେଠାରେ ବଦଳି ଯାଇଥିଲା ଚିତ୍ର । ଶାରୀରିକ ଓ ମାନସିକ ଭାବେ ଯୁବତୀଙ୍କୁ ସହିବାକୁ ପଡିଥିଲା ଅକଥନୀୟ ନିର୍ଯାତନା । ଯୁବତୀ ଜଣକ ହରିୟାଣାରେ ଦୀର୍ଘ ୬ ମାସ ଧରି ରହିବା ଭିତରେ ଘଟଣା ସମ୍ପର୍କରେ ସେ ନବରଙ୍ଗପୁରର ଜଣେ ସ୍ୱେଚ୍ଛାସେବୀଙ୍କ ଜରିଆରେ ପ୍ରଶାସନକୁ ଜଣାଇଥିଲେ ।

ଏହାପରେ ନବରଙ୍ଗପୁର ଜିଲ୍ଲା ପୋଲିସ ଓ ହରିୟାଣା ପୋଲସି ତାଙ୍କୁ ମିଳିତ ଭାବେ ସେଠାରୁ ଉଦ୍ଧାର କରିଛି । ନିଜେ ଯୁବତୀ ଏବେ ତାଙ୍କ ପରିବାର ଲୋକଙ୍କ ବିରୋଧରେ ତାଙ୍କୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି । ଏହି ଖବର ନବରଙ୍ଗପୁର ପାପଡାହାଣ୍ଡି ବ୍ଲକର ସେମଳା ଗାଁରେ ଚାଂଚଲ୍ୟ ଖେଳାଇ ଦେଇଛି । ଘଟଣା ପଛରେ ମାନବ ଚାଲାଣ ରାକେଟ୍ କାମ କରୁଥିବା ସଂଦେହ କରୁଛି ପୋଲିସ । ହରିୟାଣାରୁ ଉଦ୍ଧାର ପରେ ନବରଙ୍ଗପୁରର ସ୍ୱଧାର ଗୃହରେ ରଖାଯାଇଛି ଯୁବତୀଙ୍କୁ । ଶିକ୍ଷାଗତ ଯୋଗ୍ୟତା ଅନୁସାରେ ତାଙ୍କୁ ଚାକିରୀ ଦେବାକୁ ପ୍ରଶାସନ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ସେପଟେ ଯୁବତୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ ।