କନକ ବ୍ୟୁରୋ : ମସୁଦ୍ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗରେ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ପାଖରେ ଦୁର୍ବଳ ମୋଦୀ ମୁଣ୍ଡ ନୁଆଁଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ମସୁଦ୍ ପ୍ରସଙ୍ଗରେ ଭାରତର ବଡ଼ କୂଟନୈତିକ ବିପର୍ଯ୍ୟୟ ଘଟିଛି ବୋଲି ସେ କହିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର‌୍ୟେୱାଲା ମଧ୍ୟ ଏନଡିଏ ସରକାରଙ୍କ ବିଦେଶ ନୀତି ଏବଂ କୂଟନୀତିର ବିଫଳତା ଯୋଗୁଁ ମସୁଦ୍କୁ ସୁରକ୍ଷା ମିଳିଛି ବୋଲି କହିଛନ୍ତି। ଉଭୟ ରାହୁଲ ଏବଂ ସୁର‌୍ୟେୱାଲା ଟ୍ବିଟରରେ ବୟାନ ଜାରି କରିବା ପରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ଜବାବ ଦେଇଛନ୍ତି। ଟ୍ବିଟରରେ ଦେଶର କୂଟନୀତି ଧାର‌୍ୟ୍ୟ ହୋଇନଥାଏ ବୋଲି ରବିଶଙ୍କର ଟିପ୍ପଣୀ କରିବା ସହ ଆପଣଙ୍କ ଅଣଅଜା ନେହରୁଙ୍କ ପାଇଁ ଚୀନ୍ ଏତେ ଶକ୍ତିଶାଳୀ ହୋଇଛି ବୋଲି ରାହୁଲଙ୍କୁ ଆକ୍ଷେପ କରିଛନ୍ତି।
Advertisment

china-india image courtesy-https://www.indiatoday.in

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜାତିସଂଘ ଅଧିକାରୀ ଶଶି ଥରୁରଙ୍କ ଦ୍ବାରା ଲିଖିତ ଏକ ପୁସ୍ତକର କିଛି ଅଂଶକୁ ଉଦ୍ଧାର କରି ରବିଶଙ୍କର କହିଛନ୍ତି ଯେ ୧୯୫୩ ମସିହାରେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ନେହରୁ ତାହାକୁ ଚୀନକୁ ଅର୍ପଣ କରିବା ଲାଗି କହିଥିଲେ। ସେହିପରି ଚୀନର ଏଭଳି ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଦେଶବାସୀ ଦୁଃଖ ଅନୁଭବ କରୁଥିଲା ବେଳେ ରାହୁଲ କାହିଁକି ଉତ୍ସାହିତ ହୋଇପଡ଼ିଛନ୍ତି ବୋଲି ରବିଶଙ୍କର ପ୍ରଶ୍ନ କରିଛନ୍ତି।

ଚୀନ୍ ସାମଗ୍ରୀ ବର୍ଜନ ପାଇଁ ସୋସିଆଲ ମିଡିଆରେ ଆହ୍ବାନ
ଚୀନ୍ ପୂର୍ବ ଭଳି ମସୁଦ୍କୁ ନିଜର ଦରଦ ଦେଖାଇଥିବାରୁ ଏବଂ ଏଥି ପାଇଁ ଅଧିକ ସମୟ ଚାହିଥିବାରୁ ଏବେ ଚୀନ୍ ଉପରେ ଭାରତବାସୀ କ୍ଷୁବ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ଏବେ ଚୀନ୍ ସାମଗ୍ରୀ ବର୍ଜନ ପାଇଁ ଜୋରଦାର ଆହ୍ବାନ ଦିଆଯାଇଛି। ବହୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଏଥିରେ ନିଜକୁ ସାମିଲ କରିଛନ୍ତି। ଯୋଗଗୁରୁ ରାମଦେବ ଏବଂ ମେଘାଳୟ ରାଜ୍ୟପାଳ ତଥାଗତ ରାୟ ମଧ୍ୟ ଚୀନ୍ ସାମଗ୍ରୀ ବର୍ଜନ କରିବା ପାଇଁ କହିଛନ୍ତି। ରାମଦେବ କହିଛନ୍ତି, ମସୁଦ୍କୁ ସମର୍ଥନ ଦେଉଥିବା ଅନ୍ୟ ରାଷ୍ଟ୍ର ସହ ଚୀନ୍କୁ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ଭାବେ ବର୍ଜନ କରିବା ଉଚିତ୍। ଅର୍ଥନୈତିକ ବର୍ଜନ ଯୁଦ୍ଧଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଏବଂ ଏହା ଚୀନ୍କୁ ଉଚିତ୍ ଶିକ୍ଷା ଦେବ ବୋଲି ରାମଦେବ କହିଛନ୍ତି। ସିଏଆଇଟି (କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ) ପକ୍ଷରୁ ମଧ୍ୟ ଚୀନ୍ ସାମଗ୍ରୀ ବର୍ଜନ ପାଇଁ ଘୋଷଣା କରାଯାଇଛି।