କନକ ବ୍ୟୁରୋ : ଭଗବାନ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସବୁଠି ଆଧ୍ୟାତ୍ମିକ ବାତାବରଣ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ । ସକାଳୁ ଶତାଧିକ ମହିଳା ନଦୀରେ ସ୍ନାନ କରି କଳସ ଶୋଭାଯାତ୍ରାରେ ଆସି ଯଜ୍ଞ ସ୍ଥଳରେ କଳସ ସ୍ଥାପନ କରିଛନ୍ତି । ସେପ୍ଣଙ୍କ କେନ୍ଦୁଝର ଜିଲ୍ଲା ଯୋଡ଼ା ଓ ବଡ଼ବିଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଯୁବବର୍ଗ ବିଭିନ୍ନ ପ୍ରକାର ରାଲିରେ ସାମିଲ ହେଉଥିବା ବେଳେ ଶ୍ରଦ୍ଧାଳୁମାନେ ରାମଚରିତ୍ର ମାନସ ପଠନ ସହିତ ଭଜନ କୀର୍ତନ କରୁଛନ୍ତି ।

Advertisment

ନିଜକୁ ସଜେଇ ଶୋଭାଯାତ୍ରା କରୁଛନ୍ତି ଶ୍ରୀରାମଙ୍କ ଭକ୍ତ । ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସଜେଇ ହୋଇ ଗଂଜାମ ଖଲ୍ଲିକୋଟରେ ଶୋଭାଯାତ୍ରା କରିଛନ୍ତି । ଖଲ୍ଲିକୋଟରେ ୧୦୮ ଜଣ ହନୁମାନ ବେଶରେ ସଜେଇ ହୋଇଛନ୍ତି ।

ଆଜିର ଭବ୍ୟ ମୁହୁର୍ତର ମୁକାସାକ୍ଷୀ ହେବା ପାଇଁ ସମସ୍ତେ ଅଯୋଧ୍ୟ ଯାଇ ପାରିନାହାନ୍ତି । ଯିବା ମଧ୍ୟ ସମ୍ଭବ ନୁହେଁ । ଲୋକ ସିନା ଅଯୋଧ୍ୟା ଯାଇ ପାରିନାହାନ୍ତି, ଗାଁ ଗାଁରେ ଅଯୋଧ୍ୟାର ବାସ୍ନା ବାରି ହୋଇପଡୁଛି । ଜଗତସିଂହପୁର ସଦର ଟାଉନହଲ ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ମର୍ଯ୍ୟାଦା ପୁରୁଷଙ୍କ ଦର୍ଶନ କରିଛନ୍ତି । ଯାଜପୁର ସହରରେ ଥିବା ପ୍ରଭୂ ଶ୍ରୀରାମ ମନ୍ଦିରରେ ଆକର୍ଷଣୀୟ ଢଙ୍ଗରେ ସଜାଯାଇ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ମନ୍ଦିର ପରିଶରରେ ଶ୍ରଦ୍ଧାଳୁମାନେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଭଜନ କୀର୍ତନରେ ପୁରା ପରିବେଶ ରାମମୟ ହୋଇଛି ।

୫୦୦ ବର୍ଷ ର ସ୍ୱପ୍ନ ଆଜି ପୂରଣ ହୋଇଛି । ଅଯୋଦ୍ଧାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ସହ ବିଗ୍ରହ ପ୍ରତିଷ୍ଠା ହୋଇ ସାରିଛି । ସାରା ଦେଶରେ ରାମମୟରେ ପରିଣତ ହୋଇଯାଇଛି । ଗାଁରୁ ନେଇ ଅଯୋଦ୍ଧା ପର୍ଯ୍ୟନ୍ତ ସବୁଆଡେ ଆଜି ଉତ୍ସବ ହିଁ ଉତ୍ସବ । ଅଯୋଦ୍ଧା ଯାଇ ନଥିବା ଲୋକ ନିଜ ଗାଁ, ସହରର ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଏହି କ୍ରମରେ ସୁନ୍ଦରଗଡ ରାମ ମନ୍ଦିରରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ ।