ଟ୍ୟୁବ୍ ସାଜିଛି ନୌକା, ଆହୁଲା ମାରୁଛି ଚପଲ । କୋରାପୁଟ କୁରାଢୀ ନଦୀରେ ଏମିତି ପାଣି ପାରି ହେଉଛନ୍ତି ଲୋକେ, ଜଗମ ଗୁଡା ଡ୍ୟାମ ତିଆରି ହେବା ପରେ ଜଳବନ୍ଦୀ ହୋଇ ରହିଛି ତେନ୍ତୁଳିଗୁଡା ଗାଁ ।

177
କନକ ବ୍ୟୁରୋ: ବଂଚିବା ପାଇଁ ବନ୍ଧା ପଡିଛି ଜୀବନ । ଭରା ନଇରେ ଟ୍ୟୁବ୍ ସାଜିଛି ଡଙ୍ଗା, ଆଉ ପାଣି ପାରି ହେବା ପାଇଁ ଆହୁଲା ମାରୁଛି ଚପଲ । କୋରାପୁଟ କୁରାଢୀ ନଦୀରେ ବିପଦ ସଂକୁଳ ଅବସ୍ଥାରେ ପାଣି ପାରି ହୋଇ ଚାଷ ଜମିକୁ ଯାଉଛନ୍ତି ଲୋକେ । ଖୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୁରାଢୀ ନଦିର ପାଣିକୁ ନେଇ ଜଗମ ଗୁଡା ଡ୍ୟାମ ତିଆରି ହେବା ପରଠାରୁ ଏଭଳି ଜଳବନ୍ଦୀ ଜୀବନ ଜିଉଁଛନ୍ତି କୋରାପୁର ପୌର ପରିଷଦର ୧୬ ନମ୍ବର ୱାର୍ଡର ତେନ୍ତୁଳିଗୁଡା ଗ୍ରାମବାସୀ ।
ଜୀବନ ଯନ୍ତ୍ରଣାର ଏହି ଦୁଃଖକୁ ହୁଏତ ସେହିମାନେ ବୁଝିପାରିବେ ନାହିଁ, ଯେଉଁମାନେ ୱାର୍ଟର୍ ପାର୍କରେ ହାତ ଅହୁଲା ମାରି ଜଳକ୍ରୀଡ଼ା କରନ୍ତି । ଅବସର ବିନୋଦ ପାଇଁ ଜଳକ୍ରୀଡ଼ା ଏବଂ ଜୀବନ-ଜୀବିକା ପାଇଁ ଜଳଯାତ୍ରା, ଭିତରେ ଯେଉଁ ତଫାଦ୍ ଥାଏ, ତାହା ହିଁ ବୟାନ୍ କରୁଛି ଏହି ଚିତ୍ର ।
ଆପଣ ଭାବୁଥିଲେ କେଉଁ ଅପନ୍ତରା ଇଲାକାରର ଏହି ଚିତ୍ର । ଅପନ୍ତରା ନୁହେଁ ଉପାନ୍ତ ଅଂଚଳର । ହେଲେ ଅପହଂଚ ନୁହେଁ । ତେନ୍ତୁଳିଗୁଡ଼ା, କୋରାପୁଟ ପୌର ପରିଷଦ ଅଧିନରେ ହିଁ ଆସୁଛି । ସହରଠାରୁ ମାତ୍ର ୫ କିଲୋମିଟର । ହେଲେ, ସମସ୍ୟାର ଦୂରତା ଅମାପ ।
କୁରାଢ଼ୀ ନଦୀ ଯେମିତି ତେନ୍ତୁଳିଗୁଡ଼ା ଗାଁ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ଜଗମଗୁଡ଼ା ଡ୍ୟାମ୍ ଯୋଗୁଁ ଜଳବନ୍ଦ ପାଲଟି ଯାଇଛନ୍ତି ଗାଁ ଲୋକ । ଆଉ ଏଭଳି ସ୍ଥିତିରେ ଟ୍ୟୁବ୍ ସାଜିଛି ଡଙ୍ଗା । ଏବଂ ଚପଲ ପାଲଟିଛି ଆହୁଲା । ଆଉ ଏଭଳି ଦୟନୀୟ ଅବସ୍ଥାରେ କଟୁଛି ଲୋକଙ୍କ ଜୀବନ ।