ସୁପ୍ରିମକୋର୍ଟଙ୍କ ବଡ ନିସ୍ପତ୍ତି । ଯେଉଁ ରାଜ୍ୟରେ ସିବିଆଇ ତଦନ୍ତ କରିବାକୁ ଚାହିଁବ ସେହି ରାଜ୍ୟସରକାରଙ୍କ ଅନୁମତି ନେବା ଜରୁରୀ । ଏହି ପ୍ରାବଧାନ ସମ୍ବିଧାନର ସଂଘୀୟ ଚରିତ୍ରର ଅନୁରୂପ ।

142

କନକ ବ୍ୟୁରୋ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବେ ଯେଉଁ ରାଜ୍ୟକୁ ତଦନ୍ତ ପାଇଁ ଯିବାକୁ ଚାହିଁବ ଯାଇପାରିବ ନାହିଁ । କାରଣ ପ୍ରଥମେ ତାଙ୍କ ଉକ୍ତ ରାଜ୍ୟସରକାରଙ୍କ ଅନୁମତି ଦରକାର ପଡିବ । ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ଏହି ରାୟ ଶୁଣାଇବା ବେଳେ ଉଚ୍ଚ ନ୍ୟାୟାଳୟ କହିଛନ୍ତି କି ଏହି ପ୍ରାବଧାନ ସମ୍ବିଧାନର ସଂଘୀୟ ଚରିତ୍ରର ଅନୁରୂପ ଅଟେ । ଦିଲ୍ଲୀ ସ୍ୱତନ୍ତ୍ର ପୋଲିସ ସ୍ଥାପନା ଅଧିନିୟମରେ ଶକ୍ତି ଓ ଅଧିକାର କ୍ଷେତ୍ର ପାଇଁ ସିବିଆଇକୁ ରାଜ୍ୟସରକାରଙ୍କ ଅନୁମତି ଆବଶ୍ୟକ ରହିଛି । କିଛିଦିନ ତଳେ ମହାରାଷ୍ଟ୍ର ସରକାର ଏକ ଆଦେଶ ଜାରୀ କରି କହିଥିଲେ କି ରାଜ୍ୟରେ ଯାଂଚ କରିବାକୁ ସିବିଆଇକୁ ରାଜ୍ୟସରକାର ଦେଇଥିବା ଅନୁମତି ପ୍ରତ୍ୟାହାର କରିନିଆଗଲା । ହେଲେ ଏହି ଆଦେଶ ପ୍ରତ୍ୟାହାର ପରେ ଯାଂଚ ଉପରେ କୌଣସି ପ୍ରତିବନ୍ଧକ ଲାଗି ନଥିଲା । ହେଲେ ଭବିଷ୍ୟତରେ କିଛି ନୂଆ ମାମଲାରେ ସିବିଆଇ ଯାଂଚର ଆବଶ୍ୟକତା ପଡିଲେ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତିର ଆବଶ୍ୟକ ପଡିବ । ଯେତେବେଳେ ଯାଏଁ କୋର୍ଟ ତରଫରୁ ଯାଂଚ ପାଇଁ ଆଦେଶ ଦିଆ ନଯାଇଛି ।

ଅସଲରେ ସିବିଆଇ ଦିଲ୍ଲୀ ବିଶେଷ ପୋଲିସ ସ୍ଥାପନା ଅଧିନିୟମ ୧୯୪୬ ମାଧ୍ୟମରେ ଗଠନ କରାଯାଇଥିଲା । ଏଥିରେ କୁହାଯାଇଛି ଯେ କୌଣସି ମାମଲାର ଯାଂଚ ପୂର୍ବରୁ ମାମଲା ସହିତ ଜଡିତ ରାଜ୍ୟର ଅନୁମତି ନେବା ଜରୁରୀ । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତା ଭାଗବଣ୍ଟାରେ ପୋଲିସ ରାଜ୍ୟସରକାରଙ୍କ ଅଧିନରେ ରହିଛି । ସମସ୍ତ ମାମଲାର ପ୍ରଥମ ଯାଂଚ ଅଧିକାର ପୋଲିସ ପାଖରେ ରହିଛି । ହେଲେ ବେଳେ ବେଳେ କିଛି ମାମଲାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଆବଶ୍ୟକ ପଡିଥାଏ । ଏହାକୁ ହୃଦୟଙ୍ଗମ କରି କେନ୍ଦ୍ରସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଥା’ନ୍ତି । ହେଲେ ଏବେ ସୁପ୍ରିମକୋର୍ଟ ଦେଇଥିବା ରାୟ ମୁତାବକ କେନ୍ଦ୍ରସରକାରଙ୍କ ଅନୁମତି ପରେ ରାଜ୍ୟସରକାରଙ୍କ ସହମତି ରହିଲେ ଉକ୍ତ ମାମଲାର ଯାଂଚ ସିବିଆଇ କରିପାରିବ । ଅନ୍ୟପଟେ କିଛିଦିନ ହେବ ବିଭିନ୍ନ ରାଜ୍ୟର ସରକାର ଅଭିଯୋଗ ଆଣୁଛନ୍ତି ଯେ କେନ୍ଦ୍ରସରକାର ନିଜର ସ୍ୱାର୍ଥ ହାସଲ ପାଇଁ ସିବିଆଇକୁ ବ୍ୟବହାର କରୁଛନ୍ତି । ଏଭଳି ଅଭିଯୋଗ ଆଣି ମହାରାଷ୍ଟ୍ର, ଝାଡଖଣ୍ଡ, କେରଳ ଭଳି ୮ ଟି ରାଜ୍ୟ ସିବିଆଇକୁ ରାଜ୍ୟସରକାରଙ୍କ ବିନା ଅନୁମତିରେ ରାଜ୍ୟ ମଧ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ବିଧାନସଭାରେ ଏକ ବିଲ୍ ପାରିତ କରିଛନ୍ତି ।