କନକ ବ୍ୟୁରୋ : ରାଜଧାନୀ ପରେ ନୂଆପଡ଼ାରୁ ସାମ୍ନାକୁ ଆସିଲା ସୁଧ କାରବାରର ଛାତିଥରା ଦୃଶ୍ୟ । ଋଣ ନେଇ ସାନ ଭାଇ ଟଙ୍କା ନ ଶୁଝିବାରୁ ବଡ଼ ଭାଇକୁ ଅପହରଣ କରିନେଇଛି ସୁଧିଆ । ବଡ଼ ଭାଇକୁ ନିସ୍ତୁକ ମାଡ଼ ମାରି ଏହାର ଭିଡିଓ କରିବା ସହ ପରିବାର ଲୋକଙ୍କୁ ନିର୍ୟାତନାର ଭିଡିଓ ମଧ୍ୟ ପଠାଉଛି । ବଡ଼ ଭାଇକୁ ମୁକ୍ତ କରିବା ପାଇଁ ୩ ଲକ୍ଷ ଟଙ୍କା ଦାବି କରିଛି ଅଭିଯୁକ୍ତ। ନୂଆପଡ଼ା ଜୋଙ୍କ ଥାନା ବୋଇରଭାଡ଼ି ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଗାଁର ପବିତ୍ର ନାୟକ ଦୁଇ ବର୍ଷ ତଳେ ଅନଲାଇନ ଆପ ଜରିଆରେ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ । ତେବେ ଋଣ ସୁଝିବାର ଅକ୍ଷମ ହେବାରୁ ତାଙ୍କ ବଡ଼ ଭାଇ ବୈକୁଣ୍ଠଙ୍କୁ ଅପହରଣ କରିନେଇଛି ସୁଧିଆ । ରାଜ୍ୟ ବାହାରକୁ ନେଇ ନିସ୍ତୁକ ମାଡ଼ ମାରୁଛି ଏବଂ ଏହାର ଭିଡିଓ ପରିବାର ଲୋକଙ୍କୁ ପଠାଉଛି । ଟଙ୍କା ନ ଦେଲେ ହତ୍ୟା ଧମକ ମଧ୍ୟ ଦେଉଥିବା କହିଛନ୍ତି ପରିବାର ଲୋକେ । ଏନେଇ ଜୋଙ୍କ ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ତାଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ଥାନା ଆଇଆଇସି ।

Advertisment