ଆପ୍ ମୁଖ୍ୟଙ୍କ ପାଇଁ ବଢିଲା ଅଡୁଆ ! ବିଜ୍ଞାପନ ମାମଲାରେ ତଣ୍ଡ ଗଣିବେ ୯୭ କୋଟି ଟଙ୍କା

28

କନକ ବ୍ୟୁରୋ : ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ପାଇଁ ଅଡୁଆ ବଢିଛି । ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ସରକାରୀ ବିଜ୍ଞାପନ ବାବଦକୁ ଆପ୍ ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ରାଜ୍ୟ ଓ ରାଜ୍ୟ ବାହାରେ କେଜରିୱାଲ ସରକାର ଦେଇଥିବା ବିଜ୍ଞାପନରେ କେଜରିୱାଲ ଓ ଆମ୍ ଆଦମୀ ପାର୍ଟିର ଭାବମୂର୍ତିକୁ ଚମକାଇବା ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହେଉଥିବା ଅଭିଯୋଗ ହୋଇଛି । ତେଣୁ ଦଳ ଏହି ଆର୍ଥିକ ଦୁରୁପଯୋଗର ଭରଣା କରିବାକୁ ଅନୀଲ ବୈଜଲ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ ଆପ୍ ସରକାରଙ୍କ ବିଜ୍ଞାପନ ଖର୍ଚ୍ଚ ୯୭ କୋଟି ଟଙ୍କା ଆକଳନ କରିଛନ୍ତି । ଆଇନ ବିଭାଗର ପରାମର୍ଶ ଅନୁଯାୟୀ ଦିଲ୍ଲୀର ପ୍ରମୁଖ ସଚିବଙ୍କୁ ଆପ୍ ଠାରୁ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ । ଏଲଜିଙ୍କ ନିର୍ଦ୍ଦେଶ ପାଇ ଦିଲ୍ଲୀ ସରକାର ଏବେ ଆମ ଆଦମୀ ପାର୍ଟିକୁ କାରଣ ଦର୍ଶାଅ ନୋଟିସ ଜାରି କରିପାରେ । ମୋଟ ୯୭ କୋଟି ବିଜ୍ଞାପନ ବାବଦ ଖର୍ଚ୍ଚରୁ ଯଦି ଆଡ ଏଜେନ୍ସୀକୁ କିଛି ବି ଦିଆଯାଇନଥାଏ, ତେବେ ମାମଲା କୋର୍ଟକୁ ମଧ୍ୟ ଯାଇପାରେ ।