ସରକାର ଭାଙ୍ଗିବ ତେଲେଙ୍ଗାନାରେ? ଆସନ୍ତାକାଲି କ୍ୟାବିନେଟ ବୈଠକକୁ ନେଇ ବଢିଲା ଚର୍ଚ୍ଚା ।ଆଗୁଆ ନିର୍ବାଚନକୁ ଯିବା ଲାଗି ଘୋଷଣା କରିପାରନ୍ତି କେସିଆର

34

କନକ ବ୍ୟୁରୋ: ତେଲେଙ୍ଗାନାରେ ଆଗୁଆ ନିର୍ବାଚନ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଆସନ୍ତାକାଲି ଦିନ ଗୋଟାଏରେ ରାଜ୍ୟ କ୍ୟାବିନେଟ ବୈଠକ ଡାକିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଯାହାକୁ ନେଇ ଆକଳନ କରାଯାଉଛି ଯେ, ଆଗୁଆ ନିର୍ବାଚନକୁ ଯିବା ଲାଗି ବିଧାନସଭାକୁ ଭଙ୍ଗ କରିପାରନ୍ତି କେସିଆର । ନିୟମ ଅନୁସାରେ କ୍ୟାବିନେଟରେ ସଂକଳ୍ପ ପାରିତ ହେବା ପରେ ରାଜ୍ୟପାଳ ବିଧାନସଭା ଭଙ୍ଗ ପାଇଁ ଅନୁମତି ଦେବେ ।

ଚର୍ଚ୍ଚା ଏଇଥି ପାଇଁ ହେଉଛି ଯେ, ଆସନ୍ତାକାଲି ଅପରାହ୍ନ ୪ଟାରେ ଏକ ବିରାଟ ସଭାର ଆୟୋଜନ କରିଛି ଟିଆରଏସ । ଏବଂ ସଭା ପୂର୍ବରୁ ବିଧାନସଭଆକୁ ଭଙ୍ଗ କରି ଆଗୁଆ ନିର୍ବାଚନ ପାଇଁ ଘୋଷଣା କରିପାରନ୍ତି ଟିଆରଏସ ମୁଖ୍ୟ । ଜାତୀୟ ରାଜନୀତିରେ ବଦଳୁଥିବା ପାଣିପାଗକୁ ଦେଖି କେନ୍ଦ୍ରରେ ମୋଦି ସରକାରଙ୍କୁ ସମର୍ଥନ ଜଣାଇବା ନେଇ ସଂକେତ ଦେଇଥିଲେ କେସିଆର । ତେଣୁ ୬ମାସ ଆଗରୁ ବିଧାନସଭାକୁ ଭଙ୍ଗ କରି ଡିସେମ୍ବରରେ ଅନ୍ୟ ତିନି ରାଜ୍ୟ ସହ ନିର୍ବାଚନକୁ ଓହ୍ଲାଇ ପାରେ ।

ତେଲେଙ୍ଗାନା ବିଧାନସଭାର ଅବଧୀ ୨୦୧୯ ମାର୍ଚ୍ଚରେ ଶେଷ ହେଉଥିଲା । ସେପଟେ କେସିଆରଙ୍କ ପୁଅ କେ.ଟି, ରାମାରାଓ କହିଛନ୍ତି ଯେ, ଆସନ୍ତାକାଲି ଟିଆରଏସ ମୁଖ୍ୟ କିଛି ଗିରିତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ଯାହା ରାଜ୍ୟ ରାଜନୈତିକ ପାଣିପାଗକୁ ଗରମ କରିଦେବ । ଏଭଳି ସୂଚନା ପରେ ଆଗୁଆ ନିର୍ବାଚନ ନେଇ ସମ୍ଭାବନା ବଢିଯାଇଛି ।