ଶୃଙ୍ଖଳିତ ହେବ ଜଗା ଦର୍ଶନ । ଏସି ଟନେଲ୍ ପାଇଁ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ

214

କନକ ବ୍ୟୁରୋ : ନୂଆ ବର୍ଷରୁ ନୂଆ ରୂପ ପାଇବ ପୁରୀ ବଡ଼ଦାଣ୍ଡ । ଶୃଙ୍ଖଳିତ ହେବ ଶ୍ରୀଜିଉଙ୍କ ଦର୍ଶନ । ଭକ୍ତଙ୍କ ଦର୍ଶନ ପାଇଁ ଆରମ୍ଭ ହେଲା ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ହେଉଛି ଲ୍ୟାଣ୍ଡ ସର୍ଭେ । ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଟନେଲଟି ବଡଦାଣ୍ଡର ଶ୍ରୀକୃଷ୍ଣ ସିନେମା ହଲ ଗଳି ପାର୍ଶ୍ୱରେ ନିର୍ମାଣ କରାଯିବ । ଓବିସିସି ପକ୍ଷରୁ ଏନେଇ ଠିକାସଂସ୍ଥା ଦ୍ୱାରା ସର୍ଭେ କରାଯାଇ ନିର୍ମାଣ ଆରମ୍ଭ କରାଯିବ । ଡିଜାଇନ ଅନୁସାରେ, ୮୪ମିଟର ଲମ୍ବା ୧୨ମିଟର ଚଉଡା, ୫ ଲେୟାର ବିଶିଷ୍ଟ ହେବ ଏହି ଟନେଲ । ୮୪ମିଟର ଲମ୍ବା ସେଡ୍ରେ ପ୍ରାୟ ୧୫ଟି ଖୁଂଟି ଓ ସମ୍ପୂର୍ଣ୍ଣ ପାଲ ଆଚ୍ଛାଦିତ ଏସି ଟନେଲ ଡିଜାଇନ ସେଡ୍ ସହ ଷ୍ଟିଲ ବ୍ୟାରିକେଡ୍, ବସିବା ପାଇଁ ବ୍ୟବସ୍ଥା ଆଦି ସୁବିଧା କରାଯାଉଛି । ଡିସେମ୍ବର ୨୫ ସୁଦ୍ଧା ସରିବ ଏହି କାର୍ଯ୍ୟ ।

ଏପଟେ ଭକ୍ତଙ୍କ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ସ୍ୱରୂପ ନୋ ଭେଣ୍ଡିଂ ଜୋନ୍ ହେବ ବଡ଼ଦାଣ୍ଡ । ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରୁ ହଟାଯାଇଛି ଉଠାଦୋକାନ । ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ୫ଶହରୁ ଘର୍ଦ୍ଧ୍ୱ ଉଠାଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂଜୋନ୍ କରାଯାଇ ଥଇଥାନ କରାଯିବ । ଆଉ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ ୧୫ହଜାର ଟଙ୍କା ଦୁଇମାସ ଦିଆଯିବ । ସେପଟେ ଥଇଥାନ ନୀତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଠାଦୋକାନୀ ।

ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହା ପୂର୍ବରୁ ନୂଆ ରୂପ ପାଇବ ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କୋଠା ଫିକା ଗୋଲାପିରେ ଝଲସିବ । ଏସି ଟନେଲ ସେଡ୍ ଦେଇ କରିବେ ମହାପ୍ରଭୁଙ୍କ ଦର୍ଶନ । ଆଉ ଏହାକୁ ନେଇ ଏବେ ଜୋରସୋରରେ ଲାଗିପଡିଛି ପ୍ରଶାସନ ।