କରୋନା ଟୀକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ହେଲେ ଟୀକାକୁ ନେଇ ବାଲେଶ୍ୱରରୁ ଆମେରିକା ପର୍ଯ୍ୟନ୍ତ ରାଜନୀତି ଜୋର ଧରିଲାଣି

457

କନକ ବ୍ୟୁରୋ : ବିହାରରୁ ଆମେରିକା, ଆମେରିକାରୁ ଓଡିଶାର ବାଲେଶ୍ୱର । ନିର୍ବାଚନରେ କରୋନା ଟୀକା ସାଜିଲାଣି ମୁଖ୍ୟ ମୁଦ୍ଦା । ବାଲେଶ୍ୱର ଉପନିର୍ବାଚନ ପାଇଁ ଗତକାଲି ୨ କେନ୍ଦ୍ରମନ୍ତ୍ରୀ ଜୋରଦାର ପ୍ରଚାର କରିଥିଲେ । ଏହି ପ୍ରଚାର ବେଳେ ଏହି ବିଜେପି ନେତା ମାନେ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡି ସରକାର ଉପରେ ଖୁବ୍ ବର୍ଷିଥିଲେ । ଏଥିରେ ମୁଖ୍ୟଥଲା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିବାଦୀୟ ବୟାନ । ଏକ ଗଣମାଧ୍ୟମକୁ ଶ୍ରୀ ସ୍ୱାଇଁ କହୁ କହୁ କହିଦେଇଥିଲେ ଯେ ବାଲେଶ୍ୱର ସଦର ଲୋକଙ୍କ ପାଇଁ ଭଗବାନ ସୁଯୋଗ ଦେଇଛନ୍ତି । ଏହା ଯେ ତାଙ୍କ ପାଇଁ ବୁମେରାଂ ହେବ ସେକଥା ସେ ଜାଣିନଥିଲେ । ଗତକାଲି ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଏହାକୁ ପ୍ରସଙ୍ଗ କରି ବିଜେଡି ଉପରେ ଜୋରଦାର ହମଲ୍ା କରିଥିଲେ । ଏନେଇ ଶ୍ରୀ ସ୍ୱାଇଁ କହିଥିଲେ କି ତାଙ୍କ ବୟାନକୁ ଭୂଲ ଭାବେ ପ୍ରଚାରିତ କରାଯାଉଛି ।
ଏହି ପ୍ରସଙ୍ଗକୁ ନେଇ ରାଜନୀତି ଥମି ନଥିବା ବେଳେ ଆଜି କରୋନା ଟୀକାକୁ ନେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁଣିଥରେ ବିଜେପି ଉପରେ ବର୍ଷିଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି କି ଯଦି ବିହାର ନିର୍ବାଚନ ବେଳେ ବିଜେପି ବିହାରବାସୀଙ୍କ ପାଇଁ ମାଗଣା କରୋନା ଟୀକା ଦେବାକୁ ଘୋଷଣା କରିପାରୁଛି । ତେବେ ଓଡିଶା ଲୋକଙ୍କ ପାଇଁ ୨ ଜଣ କେନ୍ଦ୍ରମନ୍ତ୍ରୀ ମାଗଣା ଟୀକା ଦେବାକୁ କାହିଁକି ଘୋଷଣା କରୁନାହାନ୍ତି । ଏତିକିରେ କଥା ସାରି ନାହାନ୍ତି ଶ୍ରୀ ସ୍ୱାଇଁ ବିଜେପିକୁ ଘେରିବାକୁ ଯାଇ ସେ ଆହୁରି କହିଛନ୍ତି କି ଏନେଇ ୨ ଜଣ ଯାକ କେନ୍ଦ୍ରମନ୍ତ୍ରୀ ଉତ୍ତର ରଖନ୍ତୁ ନହେଲେ ଏହା କେବଳ ଏକ ନିର୍ବାଚନୀ ଜୁମଲା ବୋଲି ଲୋକେ ଭାବିବେ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନେତୃତ୍ୱାଧିନ ରାଜ୍ୟସରକାର ଟୀକା ନିର୍ମାତା କମ୍ପାନୀକୁ ୫ କୋଟି ଟଙ୍କା ପ୍ରଦାନ କରି ଟୀକା ପାଇଁ ଚୁକ୍ତି କରିସାରିଛନ୍ତି । ଏହା ସହ ରାଜ୍ୟସରକାର ଓଡିଶାବାସୀଙ୍କୁ ଟୀକାକରଣ ପାଇଁ ପ୍ରତିଶୃତିବଦ୍ଧ । ଏହାସହ ଓଡିଶାରେ କରୋନା ଟୀକାକରଣ ପାଇଁ ବିଜେପି ତା’ର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି ।