୩୦ ବର୍ଷ ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର । ବାଉଁଶ ବୁଦା ମୂଳେ ବସି ପାଠପଢୁଛନ୍ତି ୪୦ରୁ ଅଧିକ କଅଁଳ ଶିଶୁ

45

କନକ ବ୍ୟୁରୋ : ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ଶିକ୍ଷାର ମୁଳଦୁଆ । ଏଇଠୁ କୁନି ଶିଶୁଟିଏ ଅ-ଆ, ଏ-ବି-ସି-ଡି ଶିଖେ । ଖେଳୁ ଖେଳୁ ପାଠ ପଢା ପ୍ରତି ଆକୃଷ୍ଟ ହୁଏ । ଶିଶୁଟିଏ ପାଇଁ ଆଲୋକ ବର୍ତିକା ସାଜୁଥିବା ଅଙ୍ଗନବାଡି କେନ୍ଦ୍ର ଯଦି ବାଉଁଶ ବୂଦା ମୁଳେ ଚାଲେ, ତେବେ ବ୍ୟବସ୍ଥାର ସୁଫଳ କଥା ଏଠି ଚିନ୍ତା କରିବା ବି ପାପ ଭଳି ଲାଗେ ।

୩୦ ବର୍ଷ ହେଲା, ବାଉଁଶ ବୂଦାମୂଳେ ଚାଲିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବୋ ଗାଁର ଅଙ୍ଗନୱାଡି କେନ୍ଦ୍ର । ଗାଁରେ ୪ଶହରୁ ଅଧିକ ପରିବାର ବସବାସ କରୁଥିବା ବେଳେ ୪୨ ଜଣ କୁନି କୁନି ପିଲା ଏହି ଅଙ୍ଗନୱାଡି କେନ୍ଦ୍ରକୁ ଆସୁଛନ୍ତି । ହେଲେ କେନ୍ଦ୍ରର ନିଜସ୍ୱ ଘର ନଥିବାରୁ ପିଲାମାନେ ଅଙ୍ଗନବାଡି ସହାୟିକାଙ୍କ ବାଡିରେ ଥିବା ବାଉଁଶ ବୂଦା ମୁଳେ ବସୁଛନ୍ତି । ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ଆଉ ବର୍ଷା ହେଲେ କେନ୍ଦ୍ରଟି ସଂପୂର୍ଣ୍ଣ ବନ୍ଦ ହୋଇଯାଏ ।

ସରକାର ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ପାଇଁ ମହିଳା ଓ ଶିଶୁ ବିକାଶ ଯୋଜନାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।