ବସ୍ତିରେ ବଢୁଛନ୍ତି ଫୁଟବଲର ଭବିଷ୍ୟତ । ବିଦେଶ ଯିବେ, ବଡ ଖେଳାଳୀ ବନିବେ ।

184

କନକ ବ୍ୟୁରୋ: ସତ ହେବ ଫୁଟବଲ ସ୍ୱପ୍ନ । ବିଦେଶରେ ଖେଳିବେ ବସ୍ତି ପିଲା । ବସ୍ତିରେ ବଢୁଛି ଫୁଟବଲ ଖେଳାଳୀ ହେବାର ଇଚ୍ଛା । ରାତିରେ ଶୁଆଇ ଦେଉନି ସ୍ୱପ୍ନ । ସକାଳ ହେବା କ୍ଷଣି ପଡିଆକୁ ଧାଇଁ ଯାଉଛି ପାଦ । ଆରମ୍ଭ ହେଉଛି ପ୍ରସ୍ତୁତି, ଜୋରଦାର ହେଉଛି କସରତ । ଘାସ ଗାଲିଚାରେ ଫୁଟବଲ ଗଡିଯିବା ପରି, ନିଜ ସ୍ୱପ୍ନକୁ ବି ଆଗକୁ ଆଗକୁ ଗଡାଇବାରେ ବ୍ୟସ୍ତଥାନ୍ତି ଏମାନେ । ଝାଳ ବହେ ସ୍ୱପ୍ନ ପାଇଁ, ପରିଶ୍ରମ ହୁଏ ବସ୍ତିରୁ ବିଦେଶ ଯିବା ପାଇଁ…ରୋନାଲଡୋ, ମେସୀ, ସୁନୀଲ ଛେତ୍ରୀଙ୍କ ପରି ନାଁ କମେଇବା ପାଇଁ… ମାଟି ମାଆ ଲାଗି ଗୌରବ ସାଉଁଣ୍ଟିବା ପାଇଁ…

ଚାଲିଛି ପ୍ରତିଭା ଖୋଜା । ରାଜଧାନୀର ବସ୍ତି ବସ୍ତି ବୁଲି ଏହି ପ୍ରତିଭାକୁ ଖୋଜି ସେମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରା କରିବାକୁ ଜିଜାନ୍ ଲଗେଇ ଦେଇଛନ୍ତି କୋଚ୍ ଜୟଦେବ ମହାପାତ୍ର । ଆଉ ଏହି ପଡିଆରେ ଚାଲିଛି ସେହି ବସ୍ତି ପ୍ରତିଭାମାନଙ୍କର ଚୟନ ପ୍ରକ୍ରିୟା । ଜାତୀୟ ଫୁଟବଲ କ୍ୟାମ୍ପରେ ଚୟନ ହେଲେ ମିଳିବ ଅନ୍ତର୍ଜାତୀୟ ପ୍ରଶିକ୍ଷଣ । ଓଡିଶା ମାଟିରୁ ଶ୍ରେଷ୍ଠ ଫୁଟବଲର ସନ୍ଧାନରେ ଭୁବନେଶ୍ୱର ଆସିଛି ରାଉଣ୍ଡ ଗ୍ଲାସ ପଞ୍ଜାବ ଫୁଟବଲ କ୍ଲବ । ଭାରତର ପ୍ରତିଷ୍ଠିତ ଏହି କ୍ଲବ ଟ୍ରାଏଲ କ୍ୟାମ୍ପରେ ଖୋଜୁଛି ନୂଆ ନୂଆ ପ୍ରତିଭା । ଆଉ ପିଲାମାନେ ବି ସୁଯୋଗକକୁ ହାତଛଡା ନକରିବାକୁ ନିଜ ନିଜ ଭିତରେ ଚଲାଇଛନ୍ତି କଡା ପ୍ରତିଯୋଗୀତା ।

ଭୁବନେଶ୍ୱରର ସାଲିଆ ସାହି ହେଉ କି ଶିଖରଚଣ୍ଡୀ । ଶବର ସାହି ହେଉ କି ମୁଣ୍ଡା ସାହି । ରାଜଧାନୀର ବିଭିନ୍ନ ବସ୍ତିର ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଖୋଜି ସାମ୍ନାକୁ ଆଣିବାକୁ ଚାଲିଛି ଚେଷ୍ଟା ଆଉ ଏହି ଚେଷ୍ଟା ଦିନେ ଦେଶ ପାଇଁ, ମାଟି ମାଆ ପାଇଁ ଚମକ ଆଣିବ । ଏହି ଚୟନ ଶିବିରରେ ଓଡିଶାର ପ୍ରତିଭାବାନ ପିଲାଙ୍କୁ ଖୋଜିବା ସହ ନିଜ ଦକ୍ଷତା ଦେଖାଇବା ପାଇଁ ବି ରାଜ୍ୟ ବାହାରରୁ ଆସିଛନ୍ତି ପ୍ରତିଭା ।

ସେପଟେ ବିଦେଶୀ କୋଚ ଲୁଇଜ ଗ୍ରେସୋ ପ୍ରଥମ ଥର ପାଇଁ ଓଡିଶା ଆସି ଶ୍ରେଷ୍ଠ ପୁଟବଲର ଖୋଜୁଛନ୍ତି । ଚୟନ ଶିବରରୁ ବଛା ବଛା ଫୁଟବଲରଙ୍କୁ ନିଜ ଦଳରେ ସାମିଲ କରିବେ । ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ସାଙ୍ଗକୁ ଅନ୍ତର୍ଜାତୀୟ ଟୂର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ବି ଦେବେ । ଆଉ ୟାରି ଭିତରେ ପ୍ଲେ ଗ୍ରାଉଣ୍ଡରେ ବସ୍ତିପିଲାଙ୍କ ଖେଳ ତାଙ୍କୁ ଆକୃଷ୍ଟ କରିଛି । ଭଲ ସୁଯୋଗ ମିଳିଲେ ଏହି ବସ୍ତିର ପିଲାମାନେ ଅନ୍ତର୍ଜାତୀୟ ଟୂର୍ଣ୍ଣାମେଣ୍ଟରେ ସୁଯୋଗ ପାଇବେ ବୋଲି ଲୁଇଜ କହିଛନ୍ତି । ପଡିଆରେ ଖେଳୁଥିବା ଏ ପ୍ରତିଭାଧାରୀ ପିଲା ଆଗାମୀ ଦିନରେ ନାଁ କମେଇ ପାରନ୍ତି । ହୁଏତ ପଞ୍ଜାବ ଫୁଟବଲ କ୍ଲବ ପାଇଁ ଚୟନ ପରେ ବଦଳିଯିବ ଏମାନଙ୍କ ଜୀବନଶୈଳୀ, ବଦଳିଯିବ ଭାଗ୍ୟ ଆଉ ଗୋଟିଏ ସୁଯୋଗ ସତ କରିଦେବ ସବୁ ସ୍ବପ୍ନ ।