କନକ ବ୍ୟୁରୋ : ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଖରା ବଢ଼ିବା ସାଙ୍ଗକୁ ପାଣି ସମସ୍ୟା ମଧ୍ୟ ବଢ଼ିଚାଲିଛି । ଏହାରି ଭିତରେ ଜଙ୍ଗଲୀ ପଶୁପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି ‘ହେଲ୍ପ ଫର ୟୁ ଫାଉଣ୍ଡେସନ’ ।
ଜଙ୍ଗଲ କାଟି ମଣିଷ କଂକ୍ରିଟ ସହର ତିଆରି କରୁଥିବା ବେଳେ ପକ୍ଷୀଙ୍କ ସୁରକ୍ଷାରେ ଯୁବପୀଢି । ପକ୍ଷୀମାନଙ୍କ ପାଇଁ ଜଙ୍ଗଲ ଭିତରେ ଖାଦ୍ୟ ପାନୀୟ ବ୍ୟବସ୍ଥା । ଛୋଟ ଛୋଟ ମାଟି ପାତ୍ରରେ ରଖୁଛନ୍ତି ଖାଦ୍ୟ ପଦାର୍ଥ । ସେ ସବୁକୁ ସୁତାରେ ବାନ୍ଧି ଗଛରେ ଝୁଲାଇ ଦେଉଛନ୍ତି ଖାଦ୍ୟ ପାତ୍ର । ପକ୍ଷୀମାନେ ଯେପରି ସହଜରେ ଭୋକ-ଶୋଷ ମେଂଟାଇ ପାରିବେ, ସେଥିପାଇଁ ଏଭଳି ପ୍ରୟାସ କରିଛି ବାଲେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂଗଠନ ‘ହେଲ୍ପ ଫର ୟୁ ଫାଉଣ୍ଡେସନ’ ।
ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ସିମାନ୍ତରେ ଥିବା ଖୁଂଟା ଜଙ୍ଗଲରେ ଏଭଳି ବ୍ୟବସ୍ଥା କରାଯାଉଛି । ପାଣି ପାଇଁ କେବଳ ମଣିଷ ନୁହେଁ ଜୀବଜନ୍ତୁ ମଧ୍ୟ ଜୁଝି ହେଉଛନ୍ତି । ସେହି ପଶୁପକ୍ଷୀଙ୍କ କଥା ଚିନ୍ତା କରିଛନ୍ତି ‘ହେଲ୍ଫ ଫର ୟୁ ଫାଉଣ୍ଡେସନ’ର ସଦସ୍ୟମାନେ । ପ୍ରବଳ ଖରା ଯୋଗୁଁ ଲୋକେ ଘରୁ ବାହାରୁନଥିବା ବେଳେ ସ୍ୱେଚ୍ଛାସେବୀମାନେ ଏକାଠି ହୋଇ ଜଙ୍ଗରେ ବୁଲି ପକ୍ଷୀଙ୍କ ଖାଇବା-ପିଇବାର ବ୍ୟବସ୍ଥା କରୁଛନ୍ତି । ଫାଉଣ୍ଡେନର ସଦସ୍ୟମାନେ ପକ୍ଷୀଙ୍କ କଥା ଚିନ୍ତା କରିବା ସହ ଅନ୍ୟମାନେ ମଧ୍ୟ ଏହି ଧାରାରେ ସାମିଲ ହେବାକୁ ନିବେଦନ କରିଛନ୍ତି ।