କନକ ବ୍ୟୁରୋ: ସଂଗରୋଧ ଗୃହରୁ ଆସିଲା ଅଭାବନୀୟ ଚିତ୍ର । ପୁଣି ଡଷ୍ଟବିନରେ ଫୋପାଡିଲେ ଖାଦ୍ୟ ସଂଗରୋଧ ଗୃହର ଘଟଣାକୁ ନେଇ ସବୁଠି ଚର୍ଚ୍ଚ । କଟକ ଗୋପାଳପୁର କ୍ୱାରେଂଟିନ୍ କେନ୍ଦ୍ରରେ ପରସା ଯାଇଥିବା ଖାଦ୍ୟକୁ ଡଷ୍ଟବିନ୍ରେ ଫୋପାଡି ଦେଇଛନ୍ତି ପ୍ରବାସୀ ଓଡିଆ ।
ଏମାନଙ୍କ ଅଭିଯୋଗ ହେଲା,
• ସକାଳ ଜଳଖିଆରେ ଦିଆଯାଇଥିବା ସମ୍ବରରେ ଲୁଣ ପଡିନାହିଁ
• ଖାଇବା ପାଟିକୁ ସୁଆଦିଆ ଲାଗୁନାହିଁ
• ଏପରି ଖାଦ୍ୟ ତଂଟିରେ ଗଳୁନାହିଁ
• ରାତିରେ ସୁଆଦିଆ ଖାଦ୍ୟ ଦିଆଯାଉ
• ଆମକୁ ଘରକୁ ଯିବାକୁ ଦିଆଯାଉ
ସଂଗରୋଧ ସ୍ୱାଦିଷ୍ଟ ଖାଦ୍ୟ ପରସା ଯାଉନଥିବା ଅଭିଯୋଗ କରି ଏହାକୁ ଡଷ୍ଟବିନ୍ରେ ଫୋପାଡି ଦେଉଥିବା ଚିତ୍ର ସାମ୍ନାକୁ ଆସିଛି । ଏହି ପ୍ରବାସୀମାନେ ପଶ୍ଚିମବଙ୍ଗରୁ ଆସିଥିବା ଜଣାପଡିଛି ।
ପୂର୍ବରୁ ଗଞ୍ଜାମ ଜିଲ୍ଲାର ସୁବଳିଆ ନିକଟସ୍ଥ ଶତ୍ରୁଶଲ ଆଦର୍ଶ ବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରୁ ଆସିଥିଲା ସମାନ ଚିତ୍ର । ଭାତ ଡାଲମାକୁ ଗ୍ରହଣ କରିନପାରି ଫୋପାଡିଦେଇଥିବାର ଦୃଶ୍ୟ ଭାଇରାଲ ହୋଇଥିଲା । ବିଳମ୍ବରେ କାହିଁକି ଖାଇବାକୁ ଦିଆଯାଉଛି ଏବଂ ଭାତ-ଡାଲମା କଣ ଖାଇବା ଜିନିଷ ବୋଲି ପ୍ରଶ୍ନ ଉଠାଇଥିଲେ ଲୋକେ?
ପ୍ରବାସୀ ଓଡିଆଙ୍କ ଅଭିଯୋଗ ଥିଲା, ଭାତ ଜାଉ ହୋଇଯାଇଛି ଓ ଡାଲମାରେ ପଡିଥିବା ଆଳୁରେ ଚୋପା ଛଡାଯାଇନାହିଁ । ଏଭଳି କଣ କିଏ ଖାଆନ୍ତି ବୋଲି ପ୍ରଶ୍ନ କରିଥିଲେ ସେମାନେ ।
ଏହି ଘଟଣା ସାମନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର କହିଥିଲେ, ତ୍ୟାଗ କରିବା ଶିଖନ୍ତୁ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡିଆ । ସହଯୋଗ ନକଲେ ଏବଂ ସଂଗରୋଧ କେନ୍ଦ୍ରରେ ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ ସୁବ୍ରତ ବାଗଚୀ । ଏହା ସତ୍ୱେ ମଧ୍ୟ ଆଜି ପୁଣି ଥରେ ପରସା ଖାଦ୍ୟକୁ ଡଷ୍ଟବିନରେ ଫୋପାଡିଦେଇଛନ୍ତି ଲୋକେ । ଜରୁରୀକାଳୀନ ସ୍ଥିତିରେ କରୋନା ସହିତ ଲଢେଇ ଚାଲିଥିବା ବେଳେ ସଂଗରୋଧ କେନ୍ଦ୍ରରେ ଲୋକମାନଙ୍କ ଏପରି ଆଚରଣ ପୁଣିଥରେ ସେମାନଙ୍କ ଦାୟିତ୍ୱହୀନତାକୁ ପଦାରେ ପକାଇଛି ।