‘ଫୋନି’ ପ୍ରଭାବରେ ୨ ଜିଲ୍ଲାରେ ବନ୍ୟା ସମ୍ଭାବନା। ପୁରୀ ଓ ଗଂଜାମ ଜିଲ୍ଲାରେ ବନ୍ୟା ହୋଇପାରେ। ୨୦୪ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ।

ଜାରି ହେଲା ହେଲପ ଲାଇନ ନମ୍ବର

652

କନକ ବ୍ୟୁରୋ: ସାମୁଦ୍ରିକ ଝଡ ଓଡିଶାରେ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ । ଫଳରେ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ବିଶେଷ କରି ଗଂଜାମ ଓ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ରାଜ୍ୟ ସରକାର ଅନୁମାନ କରୁଛନ୍ତି । ବାତ୍ୟା ସହ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

ସୂଚନା ମୁତାବକ, ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଯେଉଁ ଜିଲ୍ଲାମାନଙ୍କରେ ସୃଷ୍ଟି ହେବ ସେଗୁଡିକ ହେଉଛି , ପୁରୀ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ତତ୍ ସହିତ ଗଂଜାମରେ ଏହାର ଅଧିକ ପ୍ରଭାବ ରହିଥିବା ବେଳେ ଗଜପତି, ରାୟଗଡା, କନ୍ଧମାଳ ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ । ସେହିଭଳି କନ୍ଧମାଳ ସହିତ ନୟାଗଡ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେଓଗଡ ଏବଂ ସମ୍ବଲପୁରରେ ମଧ୍ୟ ଫୋନିର ପ୍ରଭାବ ଅନୁଭୁତ ହେବ ବୋଲି ସୂଚନା ଦେଇଛନ୍ତି ଏସଆରସି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ବାତ୍ୟା ପ୍ରଭାବିତ ଅଂଚଳଗୁଡିକରେ ରହୁଥିବା ଲୋକଙ୍କୁ ଏବଂ ସମୁଦ୍ର ଉପକୂଳ ବର୍ତ୍ତୀ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ଏବଂ ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀରେ ୧ ହାଜରରୁ ଅଧିକ ଲୋକ ରହିବାର ବ୍ୟବସ୍ଥା କରାଯାଇଛି । ସେହିଭଳି ଯେଉଁ ଲୋକମାନେ ଏହି ବାତ୍ୟାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବେ ସେମାନଙ୍କ ନିକଟରୁ ପ୍ରସାଶନ ପକ୍ଷରୁ ମୋବାଇଲ ଯୋଗେ ଏସଏମଏସ ପଠାଯାଇ ସୂଚିତ କରାଯିବା ନେଇ କହିଛନ୍ତି ଏସଆରସି ବିଷ୍ଣୁପ୍ରଦ ସେଠୀ ।

ଏସଆରସିଙ୍କ କହିବା ଅନୁସାରେ, ଉପକୂଳବର୍ତ୍ତୀ ଅଂଚଳମାନଙ୍କରେ ଥିବା ସାଇରନ ଟାୱାରଗୁଡିକ ବ୍ୟବହାର କରାଯାଇଛି ଲୋକଙ୍କୁ ସୂଚିତ କରାଯାଉଛି । ତେବେ ଆସନ୍ତା କାଲି ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତରଣ କରାଯିବା ନେଇ ଚେଷ୍ଟା କରାଯାଉଛି । ଏହାଛଡା ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସାଢେ ଦୁଇ ମିଟରର ଜୁଆର ମାଡି ଆସିବାର ସମ୍ଭାବନା ରହିଛି । ତେବେ ଗଂଜାମ ଅପେକ୍ଷା ବାଲେଶ୍ୱରରେ ସମୁଦ୍ର ଜୁଆର ଅଧିକ ମାଡି ଆସିବା ନେଇ ସମ୍ଭାବନା ରହିଛି ବୋଲି କହିଛନ୍ତି ଏସଆରସି । ବାତ୍ୟା ଫୋନିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲପନାଇନ ନମ୍ବର ୧୦୭୦ ଏବଂ ୧୦୬୬ ଜାରି କରାଯାଇଛି ।