କନକ ବ୍ୟୁରୋ : ଖାଉଟି ପାଇଁ ଖୁସି ଖବର । ଖାଦ୍ୟର ମାନ ନେଇ ଆଉ ଖାଉଟିଙ୍କୁ ଅଯଥା ଟେନସନ ନେବାକୁ ପଡିବ ନାହିଁ । ଖାଦ୍ୟ ଠିକ ଅଛି କି ନାହିଁ ସଙ୍ଗେ ସଙ୍ଗେ ମିଳିବ ତାର ରିପୋର୍ଟ । ନିଜ ଅଂଚଳରେ ବିକ୍ରି ହେଉଥିବା ଖାଦ୍ୟ ଯାଂଚ କରିବା ପାଇଁ ରାଜଧାନୀରେ ପହଂଚିଛି ‘ଫୁଡ ସେଫଟି ଅନ ହ୍ୱିଲସ‘ ।ରାସ୍ତାରେ ଯେକୌଣସି ସମୟରେ ଏହି ଭ୍ୟାମ ପହଂଚି ଆପଣଙ୍କ ଖାଦ୍ୟ ଯାଂଚ କରିବା ସହ ନମୁନା ପରୀକ୍ଷା କରିବ । । କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଓ ପ୍ରାଧିକରଣ ମାନକ ବା ଏଫଏସଏସଏଆଇ ପକ୍ଷରୁ ଏହି ଭ୍ୟାନ ଓଡ଼ିଶାକୁ ଦିଆଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଏହି ଭ୍ୟାନ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଖାଦ୍ୟ ପରୀକ୍ଷା କରିବ ବୋଲି ଜଣାପଡ଼ିଛି।

Advertisment

publive-imageସୂଚନା ଅନୁଯାୟୀ, ଖାଦ୍ୟ ଓ ପାନୀୟରେ ଅପମିଶ୍ରଣ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଲୋକଙ୍କ ମଧ୍ୟରେ ଏଥିପାଇଁ ସଚେତନତାର ଅଭାବ ଯୋଗୁଁ ଅସ୍ୱାସ୍ଥ୍ୟକର ତଥା ବାସି ଖାଦ୍ୟ ଦୋକାନୀମାନେ ବିକ୍ରି କରୁଛନ୍ତି। ଯଦିଓ ଖାଦ୍ୟ ସୁରକ୍ଷା ଅଧିକାରୀ ଏସବୁ ଖାଦ୍ୟ ପଦାର୍ଥ ଉପରେ ଚଢ଼ଉ କରୁଛନ୍ତି। କିନ୍ତୁ ଏହା ନିୟମିତ ହେଉନଥିବାରୁ ଅପମିଶ୍ରଣକାରୀଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ବଜାରରେ ବିକ୍ରି ହେଉଥିବା ଖାଦ୍ୟ କିମ୍ବା ପାନୀୟର ନମୁନା ରିପୋର୍ଟ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ‘ଫୁଡ ସେଫଟି ଅନ ହ୍ଵିଲସ’ ଏ ଦିଗରେ ସହାୟକ ହୋଇପାରିବ । ଏହି ଭ୍ୟାନରେ ଗ୍ରୋସେରିରେ ବିକ୍ରି ହେଉଥିବା ଜିନିଷ, ପ୍ରସ୍ତୁତ ଖାଦ୍ୟ, ପାଣି, କ୍ଷୀର, ଘିଅ ଓ ତେଲ ଭଳି ପଦାର୍ଥର ପରୀକ୍ଷା କରାଯିବ। ଭ୍ୟାନଟି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନ ରହି ବିଭିନ୍ନ ପରିବା ମାର୍କେଟ, ହାଟ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ଯାଞ୍ଚ କରିବ। ବ୍ୟକ୍ତିଗତ ଭାବେ ଯେଉଁ ବ୍ୟକ୍ତି ଖାଦ୍ୟ କିମ୍ବା ପାନୀୟର ମାନ ପରୀକ୍ଷା କରିବାକୁ ଚାହିଁବେ ସେମାନେ ଏହି ଭ୍ୟାନରେ ପରୀକ୍ଷା କରିପାରିବେ। ଏହି ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ୧୦ଟଙ୍କା ଦେବାକୁ ପଡ଼ିବ ।

ଖାଦ୍ୟ ସୁରକ୍ଷାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଫୁଡ ସେଫଟି ଅନ ହ୍ଵିଲ ଭ୍ୟାନ କେବଳ ଖାଦ୍ୟ ପରୀକ୍ଷା କରିବ ନାହିଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଚାର କରିବ। ଏଥିରେ ଏଲସିଡି ଓ ମାଇକର ବ୍ୟବସ୍ଥା ରହିଛି। ଲୋକମାନଙ୍କୁ ଏହି ଜରିଆରେ ସଚେତନ କରାଯିବ। ଲୋକମାନେ ମଧ୍ୟ ଭ୍ୟାନରେ ଥିବା ଅଧିକାରୀଙ୍କୁ ପ୍ରଶ୍ନ ପଚାରି ପାରିବେ। ଏଫଏସଏସଏଆଇ ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ଓଡ଼ିଶାକୁ ଗୋଟିଏ ଭ୍ୟାନ ପ୍ରଦାନ କରାଯାଇଛି। ଛୋଟ ରାଜ୍ୟଙ୍କୁ ୨ଟି ଓ ବଡ଼ ରାଜ୍ୟକୁ ୪ଟି ଏଭଳି ଭ୍ୟାନ ଦିଆଯିବାର ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ଯଦି ଏଫଏସଏସଏଆଇ ଖାଦ୍ୟ ପଦାର୍ଥର ଯାଞ୍ଚ ପାଇଁ ଆଉ ଏକ ଭ୍ୟାନ ଦେବାର ଆବଶ୍ୟକତା ଅନୁଭବ କରେ ତେବେ ଓଡ଼ିଶାକୁ ଆଉ ଏକ ଭ୍ୟାନ ମିଳିପାରେ। ଏହି ଭ୍ୟାନରେ ଜଣେ ଲାବୋରେଟୋରି ଟେକନିସିଆନ, ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ରହିବେ। ଜନଗହଳିପୂର୍ଣ୍ଣ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ, ଛୋଟ ହୋଟେଲ ଓ ବଜାରରେ ମିଳୁଥିବା ଖାଦ୍ୟ ଓ ପାନୀୟର ଯାଞ୍ଚ କରାଯିବ।

ଏହି ଭ୍ୟାନ ଚଳାଇବାକୁ ଆସନ୍ତା ୩ବର୍ଷ ପାଇଁ ଏଫଏସଏସଏଆଇ ପକ୍ଷରୁ ପ୍ରତିବର୍ଷ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହାର ରକ୍ଷଣାବେକ୍ଷଣ ଓ ପରିବହନ ଖର୍ଚ ରାଜ୍ୟ ସରକାର ବହନ କରିବେ। ପ୍ରତ୍ୟେକ ଦିନ ଏହି ଭ୍ୟାନ୍ ୧୦୦/୧୫୦ କି.ମି ବ୍ୟବଧାନରେ ଖାଦ୍ୟ ପଦାର୍ଥର ଯାଞ୍ଚ କରିବ। ଏହି ଭ୍ୟାନ ଚଳାଚଳ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟରେ ପଞ୍ଜୀକରଣର ଆବଶ୍ୟକତା ଥିବାରୁ ଏହାର ପଞ୍ଜୀକରଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।