ଡେଲିଭରି ବୟ ହିନ୍ଦୁ ନୁହେଁ ବୋଲି ଅର୍ଡର କ୍ୟାନସଲ୍ କଲେ ଗ୍ରାହକ । ଟ୍ୱିଟରରେ ଜୋମାଟୋ ଦେଲା ଜବାବ୍, କହିଲା, ‘ଖାଦ୍ୟର ନାହିଁ ଧର୍ମ’ ।

377

କନକ ବ୍ୟୁରୋ : ହୁଏତ, ଆପଣ ଅନେକ ଥର ଅନଲାଇନରେ ଖାଇବା ମଗାଇ, ଅର୍ଡର କ୍ୟାନସଲ କରିଥିବେ । ଆଉ ଏହି ଅର୍ଡର କ୍ୟାନସଲ କରିବା ପଛରେ ଆପଣଙ୍କ ପାଖରେ ବହୁତ କାରଣ ବି ଥାଇପାରେ । ଯେମିତି କି ଖାଇବା ଭଲ ନଥିଲେ ଅର୍ଡର କ୍ୟାନସଲ କରିଥାଇପାରନ୍ତି କିମ୍ବା ଅର୍ଡର ବିଳମ୍ବ କାରଣରୁ ଖାଦ୍ୟ ଅର୍ଡର କ୍ୟାନସଲ୍ କରିଥାଇପାରନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଖାଦ୍ୟ ଅର୍ଡର କ୍ୟାନସଲର ଏଭଳି ଏକ କାହାଣୀ କହିବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଡେଲିଭରି ବୟ ହିନ୍ଦୁ ନୁହେଁ ବୋଲି ଜଣେ ଗ୍ରାହକ ଜୋମାଟୋ ଖାଦ୍ୟ ଅର୍ଡରକୁ କ୍ୟାନସଲ କରିଦେଇଛନ୍ତି । ଆଉ ଏହି ଗ୍ରାହକକୁ କଡ଼ା ଜବାବ ଦେଇଛି ଜୋମାଟୋ ।

ଇଏ ହେଉଛନ୍ତି ଅମିତ ଶୁକ୍ଲା । ଏମବିଏ ପାଠ ପଢ଼ିଛନ୍ତି, ଏକ ବଡ଼ ପ୍ରକଳ୍ପରେ କନସଲଟାଂଟ ଭାବେ କାମ କରନ୍ତି । ଏହି ଅମିତ ଶୁକ୍ଲା, ଜୋମାଟୋ ଏବଂ ଡେଲିଭରି ବୟକୁ ନେଇ ଏହି ପୁରା କାହାଣୀ । ଅମିତ ଶୁକ୍ଲା ଅନଲାଇନ୍ ସାଇଟ୍ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିଲେ, ଆଉ ଯେତେବେଳେ ଜଣେ ଅଣହିନ୍ଦୁ ବ୍ୟକ୍ତି ଡେଲିଭରି ଦେବାକୁ ଆସିଲା ସେ ଚିହିଁକି ଯାଇଥିଲେ ।

ଅର୍ଡରକୁ ତୁରନ୍ତ କ୍ୟାନସଲ କରିବା ସହ ଟ୍ୱିଟରରେ ଲେଖିଥିଲେ । ‘ମୁଁ ଏବେ ଜୋମାଟୋରେ ଖାଦ୍ୟ ଅର୍ଡରକୁ କ୍ୟାନସଲ୍ କରିଦେଲି । କାରଣ ସେମାନେ ଜଣେ ଅଣହିନ୍ଦୁ ବ୍ୟକ୍ତିକୁ ଅର୍ଡର ଦେବା ପାଇଁ ପଠାଇଥିଲେ । କଂପାନୀ ପକ୍ଷରୁ କୁହାଗଲା, ସେମାନେ ଡେଲିଭରି ବୟର ପରିବର୍ତ୍ତନ କରିପାରିବେ ନାହିଁ । ଏହା ସହିତ ଖାଇବା ଅର୍ଡର କ୍ୟାନସଲ କରିବାରୁ ଟଙ୍କା ଫେରସ୍ତ କରିବାକୁ ମନା କରିଦେଲେ । ମୁଁ କହିଲି, ଅର୍ଡର ରଖିବାକୁ ମୋତେ ବାଧ୍ୟ କରିପାରିବେ ନାହିଁ । ମୋତେ ଖାଦ୍ୟ ଦରକାର ନାହିଁ, ଅର୍ଡର କ୍ୟାନସଲ କରୁଛି ।’

ଆଉ ଏହା ପରେ ଜୋମାଟୋ ଦେଲା କଡ଼ା ଜବାବ୍ । ଉଚିତ ଶିକ୍ଷା ପାଇଲେ ଅନଲାଇନ ଗ୍ରାହକ । ଡେଲିଭରି ବୟଙ୍କ ଏଭଳି ପ୍ରତିକ୍ରିୟାର କିଛି ସମୟ ପରେ ଜୋମାଟୋ ପକ୍ଷରୁ ଆସିଥିଲା ଜବାବ୍ । ଟ୍ୱିଟରେ ଜୋମାଟୋ ପକ୍ଷରୁ ଲେଖାଯାଇଥିଲା, ‘ଖାଦ୍ୟର କୌଣସି ଧର୍ମ ନଥାଏ । ଖାଦ୍ୟ ହିଁ ଗୋଟିଏ ଧର୍ମ ।’

ଆଉ ଜୋମାଟୋର ଏଭଳି ଜବାବକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବଢ଼ିବାରେ ଚାଲିଛି ଚର୍ଚ୍ଚା । ଅନେକ ବ୍ୟକ୍ତି ଜୋମାଟୋର ଏଭଳି ପ୍ରତିକ୍ରିୟାକୁ ପ୍ରଶଂସା କରିଛନ୍ତି । ଆସନ୍ତୁ ଦେଖିବା ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିବା କିଛି ବ୍ୟକ୍ତିଙ୍କ ଟ୍ୱିଟ୍ ଉପରେ ।

-ପ୍ରଣିତ ଭଟ୍ଟ ଟ୍ୱିଟରରେ ଲେଖିଛନ୍ତି, ‘ଏହା କେଉଁ ଭଳି ବ୍ୟବହାର ପଣ୍ଡିତ୍ ଜୀ ।’

-ସେହିପରି ରିଆ ନାମକ ଜଣେ ଟ୍ୱିଟର ଆକାଉଂଟଧାରୀ ଲେଖିଛନ୍ତ, ‘ଆପଣ ବିଶ୍ୱାସ କରିପାରୁଛନ୍ତି ଜଣେ ଏମବିଏ ପାଠପଢୁଆ ବ୍ୟକ୍ତିର ବ୍ୟବହାର । ଭଗବାନ ହିଁ ଜାଣନ୍ତି ଆମ ଦେଶର ଲୋକଙ୍କ ଭିତରେ କ’ଣ ଚାଲିଛି ।’

– ଅରୁଣ ବିଶ୍ୱାନାଥନ ଟ୍ୱିଟରରେ ଲେଖିଛନ୍ତି, ‘ଶ୍ରାବଣ ମାସରେ ବାହାରୁ କାହିଁକି ଖାଦ୍ୟ ଅର୍ଡର କରି ଖାଉଛନ୍ତି ।’

ଏହି ଭଳି ଅନେକ ପ୍ରତିକ୍ରିୟା ସୋସିଆଲ ମିଡ଼ିଆରେ ଆସିବାକୁ ଲାଗିଛି । ଆଉ ଏହାରି ଭିତରେ ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ଟ୍ୱିଟରରେ ଲେଖିଛନ୍ତି, ‘ଭାରତକୁ ନେଇ ଆମେ ଗର୍ବିତ । ଆମ ଗ୍ରାହକ ଓ ପାର୍ଟନରଙ୍କ ବିବିଧତାକୁ ଆମେ ସମ୍ମାନ ଦେଇ ଆସିଛୁ । ଆମ ବ୍ୟବସାୟରେ କ୍ଷତି ହେଲେ ବି ଆମେ ଦୁଃଖିତ ନୁହେଁ । କିନ୍ତୁ ଆମ ଆଦର୍ଶ ବଜାୟ ରଖିବୁ ।