କନକ ବ୍ୟୁରୋ : ଆଫଗାନିସ୍ତାନ ଛାଡି ଚାଲିଯିବାକୁ ଏବେ ବି କାବୁଲ ବିମାନବନ୍ଦରରେ ଭିଡ ଲାଗିରହିଛି । ଆଉ ଲୋକଙ୍କ ଏହି ବ୍ୟସ୍ତତା ଭିତରେ ଆଉଏକ ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି । କାବୁଲ ବିମାନବନ୍ଦରରେ ସୁନା ପରି ମହଙ୍ଗା ହୋଇଛି ପାଣି ଓ ଖାଇବା ଥାଳି । ମିଳିଥିବା ସୂଚନା ଅନୁସାରେ ଗୋଟିଏ ବୋତଲ ପାଣିର ମୂଲ୍ୟ ୪୦ ଆମେରିକୀୟ ଡଲାର । ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩ ହଜାର ଟଙ୍କା । ସେହିପରି ଗୋଟିଏ ପ୍ଲେଟ ଖାଇବା ଥାଳିର ମୂଲ୍ୟ ୧୦୦ ଆମେରିକୀୟ ଡାଲର । ଯାହା ଭାରତୀୟ ମୁଦ୍ରାରେ ସାଢେ ୭ ହଜାର ଟଙ୍କା ।

Advertisment

ସବୁଠାରୁ ବଡକଥା ହେଉଛି କାବୁଲ ବିମାନବନ୍ଦର ଏବେ ବି ଆମେରିକା ସେନାର କବଜାରେ ରହିଛି । ତେଣୁ ଏଠାରୁ ପାଣି ବୋତଲ କିଣନ୍ତୁ କିମ୍ବା ଖାଇବା ପ୍ଲେଟ, ଆମେରିକୀୟ ଡଲାରରେ ହିଁ ପୈଠ କରିବାକୁ ପଡୁଛି । ତେବେ ଖାଦ୍ୟ ଓ ପାଣି ଏଭଳି ମହଙ୍ଗା ହେବା ପରେ ଲୋକେ ଭୋକିଲା ଶୋଇବାକୁ ପଡୁଛି । ଦେଶଛାଡି ଚାଲିଯିବାକୁ ଚାହୁଁଥିବା ଏବଂ ବିିମାନବନ୍ଦରରେ ଅପେକ୍ଷା କରି ରହିଥିବା ଲୋକେ ପ୍ରବଲ ଖରାରେ ପିଇବା ପାଣି ଅଭାବରୁ ବେହୋସ ହୋଉପଡୁଥିବା ଦେଖୁବାକୁ ମିଳୁଛି । ସଂକଟର ଏହି ସମୟରେ ନାଟୋ ସେନା କିଛି ଲୋକଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦେଉଥିବା ଦେଖିବାକୁ ମିଳୁଛି । ଛୋଟ ପିଲା ଓ ମହିଳାଙ୍କୁ ଆମେରିକା ଓ ନାଟୋ ସେନା ପାଣି ବୋତଲ ବାଂଟୁଥିବାର ଚିତ୍ର ସାମ୍ନାକୁ ଆସୁଛି । ଏଥିପାଇଁ ଦେଶଛାଡି ଚାଲିଯିବାକୁ ଚାହୁଁଥିବା ଆଫଗାନିସ୍ତାନବାସୀ ଆମେରିକା ସେନାକୁ ସଲାମ କରୁଥିବା ଦେଖାଯାଉଛି ।

ହେଲେ ଏକଥା ବି ସତ ଯେ, କାବୁଲ ବିମାନବନ୍ଦରରେ ଏହି ବିକଳ ଚିତ୍ର ଆମେରିକା ପାଇଁ ସୃଷ୍ଟି ହୋଇଛି । ୨୦ ବର୍ଷ ଧରି ଆଫଗାନିସ୍ତାନରେ ଉପସ୍ଥିତି ସତ୍ୱେ ଆମେରିକା ଏଭଳି ଏକ ସେନା ପ୍ରସ୍ତୁତ କରିପାରିଲା ନାହିଁ ଯିଏ ତାଲିବାନୀଙ୍କ ମୁକାବିଲା କରିପାରିବ । ତାଲିବାନୀ ଆତଙ୍କବାଦୀଙ୍କ ଆଗରେ ଫିକା ପଡିଯାଇଛି ଆମେରିକା ସେନା ଦ୍ୱାରା ପ୍ରଶିକ୍ଷଣପ୍ରାପ୍ତ ଆଫଗାନ ସେନା । ଏବେ ତାଲିବାନୀଙ୍କ ଭୟରେ ଲୋକେ ଦେଶଛାଡି ଚାଲି ଯାଉଛନ୍ତି । ଜୁଲାଇରୁ ଆଜିଯାଏଁ ଆମେରିକା ୭୫ ହଜାର ୯୦୦ ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରି ଅନ୍ୟାନ୍ୟ ଦେଶରେ ପହଂଚାଇଛି । ଗତ ୧୦ ଦିନ ଭିତରେ କେବଳ ୭୦ ହଜାର ଲୋକଙ୍କୁ ଏୟାରଲିଫ୍ଟ କରିଥିବା କୁହାଯାଉଛି ।