ଝଡରେ ଉଜୁଡି ଯାଇଛି ବାସଗୃହ, ଶୌଚାଳୟ ପାଲଟିଛି ଆଶ୍ରୟସ୍ଥଳ। ବାତ୍ୟା ଫୋନି ଯିବାର ମାସେ ପରେ ବି ପାଇଖାନା ଘରେ ବିତୁଛି ବାତ୍ୟା ବିପନ୍ନଙ୍କ ଜୀବନ

84

କନକ ବ୍ୟୁରୋ: ତାଣ୍ଡବ ରଚି ବାତ୍ୟା ଫୋନି ସିନା ଚାଲି ଯାଇଛି, ହେଲେ ଛାଡି ଦେଇ ଯାଇଛି ତାର ପଦଚିହ୍ନ । ଉଜାଡି ଦେଇଛି ହଜାର ହଜାର ଘର ସଂସାର । ଝଡ ଯିବାର ପ୍ରାୟ ମାସେ ପରେ ବି ବିପନ୍ନଙ୍କ ସ୍ଥିତି ସୁଧୁରି ନାହିଁ । ବାତ୍ୟା ଯୋଗୁଁ ୬୦ ପ୍ରତିଶତ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡଇ ବ୍ଲକରେ ବହୁ ଚାଳଛପର ଘର ଭାଙ୍ଗି ଯାଇଛି । ଘର ଭାଙ୍ଗି ଯିବା ପରେ ଶୌଚାଳୟରେ ବିତୁଛି ବିପନ୍ନ ପରିବାରଙ୍କ ଜୀବନ ।

ବାତ୍ୟା ଫୋନି ଯିବାର ପ୍ରାୟ ମାସେ ପରେ ପାଇଖାନ ଘରେ ଜୀବନ ବିତାଉଛନ୍ତି ବାତ୍ୟା ବିପନ୍ନ ପରିବାରର ୬ ଜଣ ସଦସ୍ୟ । ସେଇଠି ରୋଷେଇ, ସେଇଠି ଖାଇବା ଆଉ ଶୋଇବା । ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ଘରେ ପାଳି କରି ରାତି କାଟୁଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ପୋଖରୀ ସାହିର ଅଭିରାମ୍ ମଲ୍ଲିକଙ୍କ ପରିବାର । ଝଡ ତୋଫାନରେ ଝାଟି ମାଟିର ଘର ମାଟିରେ ମିଶିବା ପରେ ୩ ପିଲା, ମାଆ ଓ ସ୍ତ୍ରୀଙ୍କୁ ଧରି ଶୌଚାଳୟରେ ରହୁଛନ୍ତି ଅଭିରାମ୍ ।

ବାତ୍ୟା ସମୟରେ ଘର ନିକଟ ସ୍କୁଲ ଘରେ ଆଶ୍ରୟ ନେଇଥିବା ଏହି ପରିବାର ଏବେ ଏମିତି ଜୀବନ ଜିଉଁଛନ୍ତି । ବାତ୍ୟାର ଏତେ ଦିନ ପରେ ବି ଏମାନଙ୍କ ପାଖରେ ସରକାରୀ ସହାୟତା ପହଂଚିନଥିବା ବେଳେ ପଲିଥିନ ଖଣ୍ଡେ ମଧ୍ୟ ମିଳିନାହିଁ । ସେପଟେ ପ୍ରାଥମିକ ତଦନ୍ତ ପରେ ଖୁବ୍ଶୀଘ୍ର ଅଭିରାମଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପଟାମୁଣ୍ଡାଇ ତହସିଲଦାର । ତେବେ ଅଭିରାମଙ୍କ ପରିବାର ଡହଡହ ଖରାରେ ପିଲାଛୁଆଙ୍କୁ ଧରି ଗୋଟିଏ ଛୋଟିଆ ଶୌଚାଳୟରେ ରହୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ନଜର ପଡିଲା ନାହିଁ କେମିତି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।