ତାଳଧ୍ୱଜ ପରେ ଗଡିଲା ଦର୍ପଦଳନ…ଆଗେ ଆଗେ ଗଡି ଚାଲିଛି ବଡ ଭାଇ ଶ୍ରୀବଳଭଦ୍ରଙ୍କ ରଥ…ପଛରେ ଗଡିଲା ଦେବୀ ସୁଭଦ୍ରାଙ୍କ ରଥ

97

କନକ ବ୍ୟୁରୋ : ବଡଦାଣ୍ଡରେ ଗଡିଲା ରଥ । ବାଜିଲା ଘଣ୍ଟି, ପଡିଲା ହରିବୋଲ ଏବଂ ହୁଳହୁଳି ଆଉ ଏହାରି ଭିତରେ ବଡଦାଣ୍ଡରେ ଗଡିଛି ମହାପ୍ରଭୁଙ୍କ ରଥ । ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ଆରମ୍ଭ ହୋଇଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ ।

ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ ।

ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ଏଥି ମଧ୍ୟରେ ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଅବସ୍ଥିତ ମାଉସୀ ମା’ ମନ୍ଦିରଠାରେ ଠାକୁରମାନଙ୍କୁ ପୋଡ଼ ପିଠା ଭୋଗ ଲାଗିଥାଏ ।