ଢୋଲ, ନିଶାଣ, ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ୍ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ବଜାସାଲ ନୃତ୍ୟ

115

କନକ ବ୍ୟୁରୋ: ଢୋଲ ନିଶାଣ ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ଲୋକନୃତ୍ୟ ବଜାସାଲ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ପ୍ରଦର୍ଶନ କରିଛନ୍ତି କଳାକାର । ବାଦ୍ୟର ତାଳେ ତାଳେ ୮୦ କଳାକାରଙ୍କ ନୃତ୍ୟ ପରେଡସ୍ଥଳରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗଧ କରିଦେଇଛି । ବିବାହ ଉତ୍ସବରେ ପ୍ରଦର୍ଶିତ ହେଉଥିବା ଏହି ଲୋକନୃତ୍ୟକୁ ଆଜି ଦିଲ୍ଲୀ ଦରବାରରୁ ଦେଖିଛି ସାରା ବିଶ୍ୱ । ଲୋକପ୍ରିୟ ସମ୍ବଲପୁରୀ ଗୀତ ଡାଲଖାଇର ଧୁନର ତାଳେ ତାଳେ କଳାକାରଙ୍କ ନୃତ୍ୟ ସମସ୍ତଙ୍କ ମନ ଜିଣିଛି ।

ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ । କୋଭିଡ କଟକଣା ଭିତରେ ପାଳିତ ହେଉଥିବା ୭୨ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କାରଣରୁ ସ୍ୱତନ୍ତ୍ର ରହିଛି । କରୋନା ମହାମାରୀ ଯୋଗୁଁ ଜନପଥରେ ହେଉଥିବା ସମାରୋହ ସମୟକୁ କମ କରାଯାଇଛି । ଏହାଛଡା ଗଣତନ୍ତ୍ର ଦିବସ ପରେଡ ରୁଟକୁ ଛୋଟ କରାଯାଇଛି । ଚଳିତ ବର୍ଷ ବିଜୟ ଚୌକରୁ ପରେଡ ଆରମ୍ଭ ହୋଇ ନେସନାଲ ଷ୍ଟାଡିୟମ ଯାଏଁ ଯାଇଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ପରେଡରେ ସାମିଲ ହୋଇଛି ରାଫେଲ ଲଢୁଆ ବିମାନ । ସେହିପରି ଟି-୯୦ ଭିଷ୍ମ ଟ୍ୟାଙ୍କ, ବ୍ରହ୍ମୋସ ମିଶାଇଲ, ପିନାକ ମଲଟି ଲଂଚର ରକେଟ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଶକ୍ତି ପ୍ରଦର୍ଶନ କରିଛି ସେନା । ପ୍ରଥମ ଥର ପାଇଁ ବାଂଲାଦେଶର ୧୨୨ ସଦସ୍ୟ ବିଶିଷ୍ଟ ସେନା ମଧ୍ୟ ଏଥର ପରେଡରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ପରେଡ ଉତ୍ସବ ପରେ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ, ପ୍ରତିରକ୍ଷା ମନ୍ତ୍ରାଳୟର ୬, ଅନ୍ୟ ମନ୍ତ୍ରାଳୟ ଓ ଅର୍ଦ୍ଧ ସୈନିକ ବଳର ୯ ସହ ମୋଟ ୩୨ଟି ପ୍ରଜ୍ଞାପନ ମେଢରେ ଦେଶର ସମୃଦ୍ଧ ସାଂସ୍କୃତିକ ପ୍ରତୀକ, ଆର୍ଥିକ ଉନ୍ନତି ଓ ସୈନ୍ୟ ଶକ୍ତି ପ୍ରଦର୍ଶିତ ହୋଇଛି ।