ରାଜ୍ୟରେ ଜାରି ରହିବ ଘନ କୁହୁଡ଼ି: ଆସନ୍ତା ଦୁଇ ଦିନ ଯାଏଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

319

କନକ ବ୍ୟୁରୋ: ଜାରି ରହିଛି ଘନ କୁହୁଡ଼ି। ଲଗାତାର ହେଲା ରଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତା ଠିକ୍ ଭାବେ ଦୃଶ୍ୟମାନ ହୋଇ ନ ଥିଲା। କୌଣସି ସ୍ଥାନରେ ଅଘଟଣ ହୋଇ ନଥିଲେ ମଧ୍ୟ ବସ୍ ଓ ଟ୍ରେନ୍ ଚଳାଚଳରେ କିଛିଟା ବିଳମ୍ବ ହୋଇଥିବା ସୂଚନା ମିଳିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଏଭଳି ଘନ କୁହୁଡ଼ି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୩୦ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାରେ ଘନ କୁହୁଡ଼ି ହେବ। ମଧ୍ୟରାତି ପରେ କୁହୁଡ଼ି ପରିମାଣ ବଢ଼ିବ। ଉପକୂଳ ଓଡ଼ିଶାରେ ଭୋର ସମୟରେ ସ୍ଥିତି ଅଧିକ ଖରାପ ରହିବ। ତେଣୁ ଭଦ୍ରକ, ଅନୁଗୁଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘନ କୁହୁଡ଼ି କବଳରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ୩୦ ତାରିଖରେ ମୟୂରଭଞ୍ଜ, ଖୋର୍ଧା, ପୁରୀ ଓ ଢେଙ୍କାନାଳରେ ଘନ କୁହୁଡ଼ି ହେବ।

ଏହାବ୍ୟତୀତ ଉପକୂଳ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ବି ସକାଳୁ ସକାଳୁ କୁହୁଡ଼ି ପଡ଼ିବ। ଡିସେମ୍ବର ପହିଲାରୁ ପାଗରେ କିଛିଟା ପରିବର୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପକ୍ଷରେ ଘନ କୁହୁଡ଼ି ଲାଗିରହିଥିଲେ ମଧ୍ୟ ତାପମାତ୍ରା ହ୍ରାସ ପାଇନି। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।