ଶ୍ରୀକ୍ଷେତ୍ର ସୁନ୍ଦର ଦିଶୁଛି, ଏକାମ୍ରକ୍ଷେତ୍ର ଆଲୋକରେ ଝଲସୁଛି । ପଞ୍ଚମ ପାଳିରେ ପର୍ଯ୍ୟଟନକୁ ଫୋକସ । 

68

କନକ ବ୍ୟୁରୋ : ଅଳ୍ପଦିନ ଭିତରେ ବଦଳି ଯାଇଛି ଶ୍ରୀମନ୍ଦିର ଆଖପାଖର ଚିତ୍ର । ଶ୍ରୀକ୍ଷେତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ଏବଂ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି- ତୋଳିବାର ଆହ୍ୱାନ । ଏହି ଦୁଇଟି ପ୍ରମୁଖ ଲକ୍ଷ୍ୟ ନେଇ ଜାନୁଆରୀ ୧୬ ତାରିଖରେ ଜଗନ୍ନାଥ ଧାମରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୧୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ୭ଟି ପ୍ରମୁଖ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଶ୍ରୀ ସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶ୍ମଶାନ ଘାଟର ସୌନ୍ଦର୍ଯ୍ୟକରଣ, ଜେଲ ରୋଡରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ୍ ଛକରେ ବହୁମୁଖୀ ମାର୍କେଟ୍ କମ୍ପେ୍ଲକ୍ସ ଭଳି ୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ।

ଏହି ଲକ୍ଷ୍ୟ ନେଇ ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଥିବା କମରସିଆଲ୍ ଷ୍ଟ୍ରକଚର ବା ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅସୁରକ୍ଷିତ ନିର୍ମାଣ ସବୁକୁ ଉଚ୍ଛେଦ କରିବାକୁ ଆରମ୍ଭ ହେଲା ଅଭିଯାନ । ୭୫ ମିଟର ପରିଧି ଭିତରେ ଆସୁଥିବା ମଠ ଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷାକୁ ଧ୍ୟାନରେ ରଖି ଚାଲିଥିଲା ବୁଲଡୋଜର । ଜଷ୍ଟିସ ବିପି ଦାସ କମିଶନଙ୍କ ସୁପାରିଶ ଏବଂ ବିଶେଷଜ୍ଞଙ୍କ ମତ ଆଧାରରେ ଏଭଳି ଏକ ଯୋଜନା ପ୍ରସ୍ତୁତ କରିଥିଲେ ସରକାର । ମେଘନାଦ ପାଚେରୀ କଡରୁ ଉଚ୍ଛେଦ ବେଳେ ଭାଙ୍ଗିବାକୁ ଥିବା ଘର ଓ ଦୋକାନ ପାଇଁ ଉପଯୁକ୍ତ କ୍ଷତିପୂରଣ ସହ ବିକଳ୍ପ ଜାଗା ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରାଯାଇଛି ।

ପୁରୀର ସ୍ୱର୍ଣ୍ଣିମ ବେଳାଭୂମି ବହୁ ଦଶନ୍ଧି ପରେ ତାର ବାସ୍ତବ ରୂପ ନେଇଛି । ପୁରୀ ବେଳାଭୂମିକୁ ବିଶ୍ୱସ୍ତରୀୟ କରାଯାଇଛି । ସାଜସଜା ଏବଂ ସବୁଜିମାରେ ନୂଆ ଚେହେରା ପାଇଛି ବେଳାଭୂମି । ଏଥିସହିତ ରହିଛି ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ସୁଯୋଗ । ଦିଗବାରେଣୀ ଖୁଂଟିଠାରୁ ମେ’ ଫେୟାର ହୋଟେଲ ପର୍ଯ୍ୟନ୍ତ ୮୬୦ ମିଟର ବ୍ୟାପ୍ତ ନୂଆ ଭାବେ ତିଆରି ହୋଇଥିବା ଏହିି ବ୍ଲୁ-ଫ୍ଲାଗ ବିଚର କାମ ଶେଷ ପର୍ଯ୍ୟାୟରେ  ପହଂଚିଛି । ପରିବେଶ ନିୟମକୁ ଗୁରୁତ୍ୱ ଦିଆଯିବା ସହ ବିକାଶମୂଳକ କାମ କରାଯାଇଥିବାରୁ ଏହି ସମ୍ମାନ ଜନକ ଟ୍ୟାଗ ମିଳିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚତୁପାଶ୍ୱର୍ର ଏବେ ନବୀକରଣ କାମ ହୋଇଛି । ସୁନ୍ଦର ବୃକ୍ଷ ଓ ଆଲୋକମାଳାରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିରଙ୍କ ଚତୁଃପାଶ୍ୱର୍ । ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଲିଙ୍ଗରାଜଙ୍କ ଚାରିପଟର ପରିବେଶ ଦେଖି ବିମୋହିତ ହେଉଛନ୍ତି । ବିଶେଷକରି ମନ୍ଦିର ଆଗରେ ଲୁଚିଯାଇଥିବା ଦେବୀ ପାଦହରା ପୁଷ୍କରିଣୀ ଅନେକଙ୍କୁ ଆକୃଷ୍ଟ କରୁଛି । ଦେବୀ ପାଦହରା ବା ଦେଓପା ପୋଖରୀ ଭିତରେ ରହିିଛି ପାହାଚ ପରେ ପାହାଚ । ଏହା ସହିତ ରହିଛି ପୋଖରୀ ଭିତରେ ୧୦୮-ଲିଙ୍ଗଯୁକ୍ତ ଛୋଟ ଛୋଟ ମନ୍ଦିର । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ଲିଙ୍ଗରାଜ ମନ୍ଦିର ଆଖାପାଖରେ ୬୬ ଏକର ଜାଗା ପାଇବ ଏହିଭଲି ନୂଆ ରୁପ । ଏକାମ୍ର କ୍ଷେତ୍ର ଯୋଜନାରେ ମୋଟ ୭ ଶହ କୋଟି ଟଙ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଥିପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା ।

ଏକାମ୍ର କ୍ଷେତ୍ରର ଆରାଧ୍ୟା ପ୍ରଭୁ ଶୀଲିଙ୍ଗରାଜଙ୍କ ମହାଦୀପ ଉଠିଲାବେଳେ ୨ ଲକ୍ଷ ଭକ୍ତ ଏହାକୁ ପ୍ରତ୍ୟକ୍ଷ ଦର୍ଶନ କରିବା ପାଇଁ ବନ୍ଦୋବସ୍ତ କରୁଛନ୍ତି ରାଜ୍ୟ ସରକାର । ସୌନ୍ଦର୍ଯ୍ୟକରଣ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ଆଗେଇ ଚାଲିଛି ବିକାଶ କାମ । ରଥଖଳାରୁ ଦେଖିହେବ ବିନ୍ଦୁସାଗରରେ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା । ଶ୍ରାବଣରେ ଯେଭଳି ଲକ୍ଷ ଲକ୍ଷ ଭକ୍ତ ଆସି ଜଳଲାଗି କରିପାରିବେ ସେଥିଲାଗି ସୁବନ୍ଦୋବସ୍ତ କିରିବେ ସରକାର । ଏପରିକି ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ସୁକଶାରୀ ଓ ମୋହିନୀ ମନ୍ଦିରର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ।