ସ୍ୱାସ୍ଥ୍ୟକ୍ଷେତ୍ରରେ ନବୀନ ସରକାରକୁ ସଫଳତାର ସାର୍ଟିଫିକେଟ । ବଡ ମେଡିକାଲକୁ ଏମ୍ସ ପ୍ଲସ ପାଇଁ ବ୍ଲୁ-ପ୍ରିଣ୍ଟ, ଭାଇଚାରା ସହରର ଭାଗ୍ୟ ବଦଳାଇବାକୁ ଲକ୍ଷ୍ୟ ।

225

କନକ ବ୍ୟୁରୋ : ଗୋଟିଏ ଗରିବୀ, ଅପପୁଷ୍ଟି ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟକୁ ପ୍ରଗତିଶୀଳ ଓ ସମ୍ଭାବନାର ରାଜ୍ୟରେ ପରିଣତ କରିବା ପଛରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଚକ୍ଷଣ ନେତୃତ୍ୱ । ୮୦ ଲକ୍ଷରୁ ଅଧିକ ଲୋକଙ୍କୁ ଗରିବୀ ସୀମାରେଖା ତଳୁ ଉପରକୁ ଆଣିବା ଏକ ବଡ ଉପଲବ୍ଧି । କ୍ଷମତାର ଡୋର ହାତରେ ଧରିବା ବେଳେ ଶିଶୁ ଆଉ ମାତୃ ମୃତ୍ୟୁହାର ରାଜ୍ୟପାଇଁ ଅପବାଦର କାରଣ ପାଲଟିଥିଲା । ଆଜି ରାଜ୍ୟର ମାତୃ ଓ ଶିଶୁ ମୃତ୍ୟୁ ହାର ଜାତୀୟ ହାର ଠାରୁ ବେଶ ଭଲ ରହିବା ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି ନବୀନଙ୍କ ଗୁରୁତ୍ୱର ବଡ ପ୍ରମାଣ । ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଁଚାଇବା ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମି ଉପରେ ଗତ ୨୦ ବର୍ଷରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି । ଦିନେ ମୟୁରଭଂଜ ଏବଂ କୋରାପୁଟରେ ମେଡିକାଲ କଲେଜ ଖୋଲିବା ସ୍ୱପ୍ନ ଥିବା ବେଳେ ତାକୁ ବାସ୍ତବତାର ରୂପ ଦେଇ ପାରିଛନ୍ତି ରାଜ୍ୟ ସରକାର ।

୨୦୦୦ ମସିହା ବେଳକୁ ରାଜ୍ୟରେ ୩ଟି ମେଡିକାଲ କଲେଜ ଥିବା ବେଳେ ରାଜ୍ୟରେ ଆଉ ୮ଟି ମେଡିକାଲ କଲେଜର ଗଠନ ଦିଗରେ ପଦକ୍ଷେପ ନିଆଯାଇଛି । ଏଥିରୁ ୪ଟି ଅର୍ଥାତ୍ କୋରାପୁଟ, ବାରିପଦା, ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇସାରିଛି । ଏସସିବି ମେଡିକାଲ କଲେଜକୁ ଏମସ ପ୍ଲସରେ ପରିଣତ କରିବାକୁ ୧୦୦୦ କୋଟିର ବ୍ୟବସ୍ଥା କରାଯାଇଛି । ୩୦୦୦ ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ ଏବଂ ସମନ୍ୱିତ ଡାକ୍ତରଖାନାରେ ପରିଣତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।

କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଚ ମେଡିିକାଲ କଲେଜ ଏବଂ ହସ୍ପିଟାଲର ପୁନର୍ବିନ୍ୟାସ କରି ଅନ୍ତର୍ଜାତୀୟ ମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ନିଷ୍ପତି ନିଆଯିବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଏସସିବିର ସମ୍ପ୍ରସାରଣ ପାଇଁ ପ୍ରାୟ ୨୫ ଏକର ଜମି ଅଧିଗ୍ରହଣ କରାଯିବ । ସରକାରଙ୍କ ଏହି ମହତାକାଂକ୍ଷୀ ଯୋଜନାରେ ଅନେକ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଥିବାରୁ ସେମାନଙ୍କୁ କିପରି ଥଇଥାନ କରାଯିବ, ସେ ନେଇ ପ୍ରାଥମିକତା ଦେଇଛନ୍ତି ସରକାର । ଏସସିବିକୁ ୩ ହଜାର ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ ଚିକିତ୍ସାଳୟ କରିବା ପାଇଁ ଯୋଜନା କରିଛନ୍ତି । ଏଥିପାଇଁ ତାଳଦଣ୍ଡା କେନାଲର ଦୁଇ ପାଶ୍ୱର୍ରେ କେନାଲ ବନ୍ଧର ସଂପ୍ରସାରଣ କରାଯିବ । କେନାଲ ବନ୍ଧର ଉଭୟ ପାଶ୍ୱର୍ ଜୋବ୍ରା ବ୍ୟାରେଜ ନିକଟରେ ରିଙ୍ଗ ରୋଡକୁ ସଂଯୋଗ କରିବ । ଫଳରେ ରାଜ୍ୟର ବିଭିନ୍ନ ଅଂଚଳରୁ ରୋଗୀ ଓ ଆମ୍ବୁଲାନ୍ସ ସୁବିଧାରେ ଆସିପାରିବେ । କେନାଲର ଉଭୟ ରାସ୍ତାକୁ ମଧ୍ୟ ତିନି ଥାକିଆ କରାଯିବ । ରାସ୍ତାର ଉଭୟ ପଟରେ ଫୁଟପାଥ ସହ ପାର୍କିଂ ଆଂଚଳର ବିକାଶ କରାଯିବ । ରାସ୍ତା କଡରେ ଗଛ ଲଗାଇବା ସହ ଲାଇଟ ବ୍ୟବସ୍ଥା କରାଯିବ । ଛତ୍ର ବଜାର ଅଂଚଳର ଭବିଷ୍ୟତ ସଂପ୍ରସାରଣ ପାଇଁ ମଧ୍ୟ ଯୋଜନା ଅଛି ।

ପଂଚମ ପାଳିରେ ବିପୁଳ ଜନାଦେଶ ସହ କ୍ଷମତାକୁ ଆସିବା ପରେ ମୋ ସରକାର ଆଉ ୫-ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାକୁ ପଦକ୍ଷେପ ନେଇଛନ୍ତି ନବୀନ ।
ନବୀନଙ୍କ ୫-ଟି
– ଟ୍ରାନ୍ସପାରେନ୍ସି
– ଟିମୱର୍କ
– ଟେକ୍ନୋଲୋଜି
– ଟାଇମ୍
– ଟ୍ରାନ୍ସଫରମେସନ
ଏଥିପାଇଁ ଜଣେ ସ୍ୱତନ୍ତ୍ର ସଚିବଙ୍କୁ ନିଯୁକ୍ତ କରି ସରକାରୀ ବିଭାଗ ଗୁଡିକରେ ବ୍ୟବସ୍ଥାରେ ପରିବର୍ତନ କରି ଲୋକଙ୍କ ଅଧିକ ନିକଟତର ହେବାକୁ ପ୍ରୟାସ କରିଛନ୍ତି ।

ସରକାରୀ ବିଭାଗ ଓ କାର୍ଯ୍ୟାଳୟକୁ ଦୁର୍ନୀତିମୁକ୍ତ କରିବା ସହ ସ୍ୱଚ୍ଛତା ରଖି କେବଳ ଲୋକଙ୍କ ସେବାରେ ନିୟୋଜିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ପଦକ୍ଷେପ ବ୍ୟବସ୍ଥାରେ ଅଧିକ ପାରଦର୍ଶିତା ଆଣିପାରିଛି । ସରକାରୀ ନାଲି ଫିତାର ପ୍ରଭାବକୁ କମାଇବା ସହ ଲୋକଙ୍କ ପାଖରେ ସୂଚନା ପହଂଚାଇବା ଓ ସେମାନଙ୍କଠାରୁ ପ୍ରତିକ୍ରିୟା ନେବାର ମାଧ୍ୟ ପାଲଟିଛି । ଯାହା ବାସ୍ତବରେ ପରିଚାଳନାରେ ଟ୍ରାନ୍ସଫରମେସନ ବା ରୁପାନ୍ତରଣ ଘଟାଇଛି ।