୬ ଲୋକସଭା ଆସନ ଉପରେ ନଜର: ୨୫ ବିଧାନସଭା ଉପରେ ଚର୍ଚ୍ଚା ଜୋର

4,176

କନକ ବ୍ୟୁରୋ: ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ଚିତ୍ର, କିଏ କେଉଁ ଆସନରୁ ବିଜୟୀ ହେବ ଆଉ ଆସନ ହରାଇବ । ଫଳାଫଳକୁ ନେଇ ନେତାଙ୍କ ଠାରୁ ଆରମ୍ଭ କରି ଭୋଟରଙ୍କ ଛାତି ଧଡ଼ଧଡ଼ । କିନ୍ତୁ ଏହାରି ଭିତରେ ଏମିତି କିଛି ଲୋକସଭା ଓ ବିଧାନସଭା ଆସନ ରହିଛି ଯାହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ସମ୍ବଲପୁର, ଭୁବନେଶ୍ୱର, ଓ କେନ୍ଦ୍ରାପଡା ସମେତ ଏମିତି ୬ଟି ଲୋକସଭା ଆସନ ରହିଛି ଯେଉଁଠି ଜୋରଦାର ଫାଇଟ ହେବ ବୋଲି ଆକଳନ କରାଯାଇଛି । ସେହିପରି ୨୫ଟି ବିଧାନସଭା ଆସନକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିଛି ।

ନିର୍ବାଚନ ପଂଳାଫଳକୁ ଆଉ କିଛି ଘଂଟାର ଅପେକ୍ଷା । ଆଉ ହାରଜିତକୁ ନେଇ ନେତାଙ୍କଠୁ ଆରମ୍ଭ କରି ଭୋଟରଙ୍କ ଯାଏଁ ସମସ୍ତଙ୍କ ଛାତି ଧଡ ଧଡ । ଆସନ୍ତୁ ନଜର ପକାଇବା କିଛି ପ୍ରମୁଖ ଆସନ ଉପରେ ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

ଲୋକସଭା
ସମ୍ବଲପୁର, ଭୁବନେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, କେନ୍ଦ୍ରାପଡା

ବିଧାନସଭା
କଣ୍ଟାବାଞ୍ଜି, ବ୍ରଜରାଜନଗର, ଝାରାସୁଗୁଡା,ପଦ୍ମପୁର, ଧାନନଗର, ଭଣ୍ଡାରୀପୋଖରୀ. ବଡଚଣା, ଧର୍ମଶାଳା, କୋରେଇ, ବଲାଙ୍ଗୀର, ଭବାନୀପାଟଣା, ନୂଆପଡା, ଖରିଆର,ଜଗତସିଂହପୁର, ନିମାପଡା, ପାଟକୁରା, ଆଳି, ସାଲେପୁର, ପିପିଲି, ବ୍ରହ୍ମଗିରି, ସତ୍ୟବାଦୀ,ଖୋର୍ଦ୍ଧା, ଗୋପାଳପୁର,ରାଉରକେଲା, ଘଷିପୁରା ।

ସମ୍ବଲପୁର-ଏଠାରେ ସବୁଠାରୁ ହାଇପ୍ରୋଫାଇଲ ଲଢେଇ ହେଉଛି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହା ବିଜେଡି-ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିଜୟ ବ୍ୟବଧାନ ଉପରେ ସମସ୍ତଙ୍କ ନଜର ରହିିଛି

ଭୁବନେଶ୍ୱର-ଏହି ଲୋକସଭା ଆସନ ଉପରେ ସାରା ଦେଶର ନଜର ରହିଛି । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ପୁଣି ଜିତୁଛନ୍ତି ନା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ବାଜି ମାରୁଛନ୍ତି , ତାକୁ ସମସ୍ତେ ଚାହିଁ ରହିଛନ୍ତି ।

ପୁରୀ-ପୁରୀରେ ପ୍ରଧାନମନ୍ତ୍ରୀ ରୋଡ ଶୋ କରିଥିଲେ । ଏଠାରୁ ଲଢୁଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିରୁ ଅରୁପ ପଟ୍ଟନାୟକ । ତେଣୁ ମୋଦିଙ୍କ ରୋଡ ଶୋ ଲୋକଙ୍କ ଉପରେ ପ୍ରଭାବ ପକାଇଛି ନା ନାହିଁ , ତାହା ପରଖିବ ଏହି ନିର୍ବାଚନ ।

ବ୍ରହ୍ମପୁର– ବିବାଦରେ ରହିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ୨୦୧୯ରେ ସେ ବିଜେଡିରେ ଥିଲେ । ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେପିରୁ ଆସି ଲଢୁଛନ୍ତି । ପ୍ରଦୀପଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ନଡ୍ଡା ପ୍ରଚାର କରିଥିଲେ
ସେହିଭଳି କଟକ ଓ କେନ୍ଦ୍ରାପଡାରେ ବି ଭର୍ତୃହରି ମହତାବ ଏବଂ ବୈଜୟନ୍ତ ପଣ୍ଡାଙ୍କ ଭଳି ଜଣାଶୁଣା ଚେହେରା ମୈଦାନରେ ଥିବାରୁ ଫଳାଫଳ ନେଇ ଉତ୍ସୁକତା ବଢିଯାଇଛି ।

କୁହାଯାଉଛି, ୬ ଲୋକସଭା ଆସନ ଓ ୨୫ ବିଧାନସଭା ଆସନରେ ଲଢେଇ ଏଥର ବେଶ ରୋଚକ ହେବ । ଆଉ ଯିଏ ବି ବିଜୟୀ ହେବ ବ୍ୟବଧାନ ବହୁତ କମ ରହିବ ।

କଣ୍ଟାବାଞ୍ଜି-ଏହି ବିଧାନସଭା ଆସନର ଫଳାଫଳ ଉପରେ ସାରା ଦେଶର ନଜର । ନିଜ ପାରମ୍ପରିକ ଆସନ ହିଞ୍ଜିଳକୁ ଛାଡିଦେଲେ କଂଟାବାଞ୍ଜିରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବଡଚଣା-ବଡଚଣାରେ ଏଥର ପ୍ରାର୍ଥୀ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ୬-୬ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ବର୍ଷାଙ୍କୁ ଏହି ଆସନରୁ ଟିକେଟ ଦେଇଛି ବିଜେଡି ।

କୋରେଇ- କୋରେଇ ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ । ତାଙ୍କ ବିରୋଧରେ ଲଢୁଛନ୍ତି ବିଜେପିରୁ ଆକାଶ ଦାସ ନାୟକ ଓ କଂଗ୍ରେସରୁ ବନ୍ଦିତା ପରିଡା । ସନ୍ଧ୍ୟାରାଣୀ ପ୍ରଥମ ଥର ଲାଗି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଧାମନଗର-ଧାମନଗରରେ ପୁଣି ପ୍ରାର୍ଥୀ ହୋଇଛନ୍ତି ବିଜେପିର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜ । ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ଉପନିର୍ବାଚନରେ ଜିତିଥିଲେ ସୂରଜ । ଏଥର ବିଜେପି ତାଙ୍କୁ ପୁଣି ପ୍ରାର୍ଥୀ କରିଥିଲେ ବି ମୁକାବିଲା କଡା ବୋଲି କୁହାଯାଉଛି ।

ବଲାଙ୍ଗୀର-ବଲାଙ୍ଗୀର ବିଧାନସଭା ଆସନରେ ମୁହାଁମୁହିଁ ହୋଇଛନ୍ତି ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ରାଜ ପରିବାର ଓ ନରସିଂହ ମିଶ୍ରଙ୍କ ପୁଅ । ବିଜେଡିରୁ କଳିକେଶ ସିଂହଦେଓ ଓ କଂଗ୍ରେସରୁ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ଆଉ ମୁକାବିଲା ବି ନେକ ଟୁ ନେକ୍ ବୋଲି କୁହାଯାଉଛି ।

ନୂଆପଡା-ନୂଆପଡାରୁ ବିଧାନସଭା ଆସନରୁ ଲଢୁଚନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ. ବିଜେଡିରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ବିଜେପିରୁ ଅଭିନନ୍ଦନ ପଣ୍ଡା । ଅଭିନନ୍ଦନ ହେଉଛନ୍ତି ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁଅ । ତେଣୁ କିଏ ବିଜୟୀ ହେବ ସେ ନେଇ ଉକ୍ରଣ୍ଠା ବଢିଛି ।

ନିମାପଡା-ନିମାପଡା ବିଧାନସଭା ଆସନରେ କଣ ହେବ । ୩-୩ ଥରର ବିଧାୟକ ସମୀର ଦାସଙ୍କ ଟିକେଟ କାଟି ବିଜେଡି ଏଠାରୁ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ଏହା ପରେ ବିଜେଡି ଛାଡି ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କୁ ସମର୍ଥନ ଘୋଷଣା କରିଛନ୍ତି ସମୀର । ଏହାଛଡା ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ।

ରାଉରକେଲା-ଏଠାରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟ । ଆଉ ତାଙ୍କ ବିରୋଧରେ ଲଢୁଛନ୍ତି ବିଜେଡିର ବରିଷ୍ଠ ନେତା ଶାରଦା ନାୟକ । ତେଣୁ ଲଢେଇ ଜୋରଦାର ହୋଇଛି ।

ଖୋର୍ଦ୍ଧା- ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ହାରିବେ ନା ଜିତିବେ ତାକୁ ନେଇ ସାରା ରାଜ୍ୟର ନଜର । କାରଣ ନିକଟରେ ସେ ଇଭିଏମ ଭଙ୍ଗାରୁଜା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଏଠାରୁ ବିଜେଡିରୁ ବିଜେଡିରୁ ଲଢୁଚନ୍ତି ରାଜେନ୍ଦ୍ର ସାହୁ ।