ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ୩ୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ; କରୋନା ପରବର୍ତ୍ତୀ ବଜେଟକୁ ଅନାଇ ରହିଛି ସାରାଦେଶ

ଏଥର ବଜେଟ୍ ସଂପୂର୍ଣ୍ଣ ଭିନ୍ନ ହେବ ବୋଲି ପୂର୍ବରୁ ସଂକେତ ଦେଇ ସାରିଛନ୍ତି ଅର୍ଥମନ୍ତ୍ରୀ

109

କନକ ବ୍ୟୁରୋ: ମହାମାରୀ କରୋନାର ପଞ୍ଝାରୁ ଧିରେ ଧିରେ ଦେଶ ମୁକୁଳୁଥିବା ବେଳେ ଆଜି ସଂସଦରେ ଆଗତ ହେବାକୁ ଯାଉଛି ସାଧାରଣ ବଜେଟ । ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦିନ ୧୧ଟାରେ ଉପସ୍ଥାପିତ ହେବାକୁ ଥିବା ବଜେଟରୁ ଆଶା କରାଯାଉଛି, ମହାମାରୀ ପୀଡିତ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରତିରକ୍ଷା ବାବଦରେ ଅଧିକ ବ୍ୟୟ ବରାଦ ସହ ଆର୍ଥିକ ସୁଧାରକୁ ଆଗକୁ ବଢେଇନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି ।

ଏହାଛଡା ଚାଷୀଙ୍କୁ ମଧ୍ୟ ବଜେଟରେ ବଡ ଉପହାର ମିଳିପାରେ । ଗୋଟିଏ ଅନ୍ତରୀଣ ବଜେଟକୁ ମିଶାଇ ଏହା ମୋଦି ସରକାରଙ୍କ ନବମ ବଜେଟ । ଏଥର ବଜେଟରେ ବ୍ୟାପକ ରୋଜଗାର ସୃଷ୍ଟି, ଗ୍ରାମୀଣ ବିକାଶ ପାଇଁ ଅଧିକ ଖର୍ଚ୍ଚ, ବିକାଶ ପାଇଁ ଉଦାର ଆବଂଟନ, କରଦାତାଙ୍କ ହାତରେ ଅଧିକ ପଇସା ଦେବାକୁ ପଦକ୍ଷେପ ନେଇପାରନ୍ତି ମୋଦି ସରକାର । ଏହାଛଡା ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ନିୟମକୁ ମଧ୍ୟ ସରଳ କରାଯିବ ବୋଲି ଆଶା କରାଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ ଭବିଷ୍ୟତ ପାଇଁ ବାଟ କଢାଇବ ଓ ପ୍ରମୁଖ ଅର୍ଥନୈତିକ ବ୍ୟବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଆଣିବ ବୋଲି ସାଧାରଣ ଜନତାଙ୍କଠୁ ଉଦ୍ୟୋଗପତି ଯାଏଁ ସମସ୍ତେ ଆଶାବାଦୀ ଅଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ର ଐତିହାସିକ ବଜେଟରେ କେନ୍ଦ୍ର ସରକାରଙ୍କ ଆଗରେ ଅର୍ଥବ୍ୟବସ୍ଥାକୁ ତୁରନ୍ତ ପ୍ରୋତ୍ସାହନ ଦେବା ଓ ଲମ୍ବା ଭବିଷ୍ୟତ ପାଇଁ ଅର୍ଥ ବ୍ୟବସ୍ଥାକୁ ଦୃଢ କରିବା ଭଳି ଆହ୍ୱାନ ରହିଛି । ତେଣୁ ନିର୍ମାଳା ସୀତାରମଣ ଏହାକୁ ନେଇ କେମିତି ସନ୍ତୁଳନ ରଖିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

ମୋଦି ସରକାର ନୀର୍ଭିକ ନିଷ୍ପତ୍ତି ନେବା ନେଇ ଜଣାଶୁଣା । ତେଣୁ ଏଥର ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ମଜବୁତ କରିବା ପାଇଁ ବଡ ଘୋଷଣା ହେବା ସମ୍ଭାବନା ରହିଛି । ୨୦୨୧-୨୨ର ସାଧାରଣ ବଜେଟ ଏପରି ସମୟରେ ଆସୁଛି, ଯେଉଁ ସମୟରେ ଦେଶ କରୋନା ସଂକଟରୁ ବାହାରୁଛି । କରୋନା ମୁକ୍ତ ହେବା ପାଇଁ ଭାରତକୁ ଭ୍ୟାକ୍ସିନ ମିଳିଯାଇଛି । ହେଲେ ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ନିର୍ମଳା ସୀତାରମଣ ବଜେଟର କି ଭ୍ୟାକ୍ସିନ ରଖିଛନ୍ତିି, ତା ଉପରେ ସାରା ଦେଶର ନଜର ରହିଛି ।