କନକ ବ୍ୟୁରୋ : ଫୋବର୍ସ ତରଫରୁ ବିଶ୍ୱର ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ସାମିଲ ହୋଇଛି । ଏହାସହ ଅନ୍ୟ ୩ ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଯେଉଁମାନେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ।
ଫୋବର୍ସ ତାଲିକାରେ ସ୍ଥାନ ପାଇଥିବା ବିଶ୍ୱର ୧୦୦ ଜଣ ମହିଳାଙ୍କ ମଧ୍ୟରୁ ନିର୍ମଳା ସୀତାରମଣଙ୍କ ସ୍ଥାନ ୩୨ ନମ୍ବରରେ ରହିଛି । ନିର୍ମଳା ସୀତାରମଣ ୨୦୧୯ ମସିହାରୁ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଓ କର୍ପୋରେଟ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଛନ୍ତି । ଅର୍ଥମନ୍ତ୍ରୀଙ୍କ ସମେତ ଯେଉଁ ଅନ୍ୟ ୩ ଜଣ ମହିଳା ସାମିଲ ହୋଇଛନ୍ତି ସେମାନେ ହେଲେ ଷ୍ଟିଲ ଅଥରେଟି ଅଫ୍ ଇଣ୍ଡିଆର ଚେୟରପର୍ସନ ସୋମା ମଣ୍ଡଳ, ବାଇକନର ପ୍ରତିଷ୍ଠାତା କିରଣ ମଜୁମଦାର ଓ ଏଚସିଏଲ କ୍ରପର ମୂୁଖ୍ୟ ରୋଶନୀ ନାଦର ମାଲହୋତ୍ରା ।
ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ୟୁରୋପୀୟ ଆୟୋଗର ସଭାପତି ଓର୍ସୁଲା ବନ୍ ଡେର ଲେୟେନ, ଦ୍ୱିତୀୟ ସ୍ଥାନରେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ଅଧ୍ୟକ୍ଷ କ୍ରିଷ୍ଟିନ ଲାଗାରଡେ, ତୃତୀୟ ସ୍ଥାନରେ ରହିଛନ୍ତି ଆମେରିକାର ଉପ ରାଷ୍ଟ୍ରପତି କମଲା ହେରିସ୍ ।