କନକ ବ୍ୟୁରୋ: ସଂସଦରେ ବଜେଟ ହୋଇଥିଲା କବିତାମୟ । ସୀତାରମଣଙ୍କ ସ୍ୱରରେ ଖୁବ୍ ସୁନ୍ଦର ଶୁଭୁଥିଲା କେନ୍ଦ୍ରୀୟ ବଜେଟ । କବିତା, ଶ୍ଲୋକ ଆଉ ଛନ୍ଦର ଛୁଙ୍କ ଦେଇ ସୀତାରମଣ ଯେତେବେଳେ ବଜେଟ ଉପସ୍ଥାପନା କରୁଥିଲେ ସେତେବେଳେ ସମସ୍ତେ ତାଙ୍କୁ ଚାହିଁ ରହିଥିଲେ । ତାଙ୍କ ଉପସ୍ଥାପନା ଶୈଳୀ ସମସ୍ତଙ୍କୁ ବାନ୍ଧି ରଖିଥିଲା । ସାଧାରଣତଃ ବଜେଟରେ ସଂଖ୍ୟା, ଅଙ୍କ, ଲାଭକ୍ଷତି, ଶସ୍ତାମହଙ୍ଗାର ହିସାବ ନିକାଶ ରହିଥାଏ ଯାହା କାନକୁ ଟିକେ ବିରକ୍ତିକର ଲାଗେ । କେହି କେହି ଏହା ଶୁଣିବାକୁ ଇଚ୍ଛା ମଧ୍ୟ ପ୍ରକାଶ କରନ୍ତି ନାହିଁ ମାତ୍ର ସଂସଦରେ ସୀତାରମଣଙ୍କ ପ୍ରଥମ ବଜେଟ ଉପସ୍ଥାପନାକୁ ସମସ୍ତେ କାନ ଖୋଲି ଶୁଣୁଥିଲେ । କାରଣ ବଜେଟ ପୁସ୍ତିକା ପଢିଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଝିରେ ମଝିରେ କବିତା ଓ ଶ୍ଲୋକ ପଢିଥିଲେ ।
ନିଜ ପ୍ରଥମ ବଜେଟରେ ସୀତାରମଣ ଚାଣକ୍ୟ, ସ୍ୱାମୀ ବିବେକାନନ୍ଦ, ଉର୍ଦ୍ଦୁ କବି ମଞ୍ଜୁର ହସିମ୍ ଏବଂ ଭଗବାନ ବସାଭେଶ୍ୱରଙ୍କ ନୀତିବାଣୀକୁ ଗୃହରେ ପଢିଥିଲେ । ବଜେଟ ଆରମ୍ଭରୁ ହାସିମଙ୍କ କବିତା ପଢିଥିଲେ ସୀତାରମଣ । ବିଶ୍ୱାସର କଥା କହି ସୀତାରମଣ ଗାଇଥିଲେ...
‘‘ୟକିନ ହୋ ତୋ କୋଇ ରାସ୍ତା ନିକଲତା ହେ,
ହାୱା କି ତୋ କର୍ ଭି ଚିରାଗ୍ ଜଲ୍ତା ହେ...’’
ବଜେଟ ମଝିରେ ଚାଣକ୍ୟଙ୍କ ନୀତିବାଣୀ ମଧ୍ୟ ପଢିଥିଲେ ସୀତାରମଣ । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତର ବଜେଟକୁ ୫ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଯାହାକୁ କିଛି ଲୋକ ବିଶ୍ୱାସ କରିପାରୁନାହାନ୍ତି ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ସୀତାରମଣ ଚାଣକ୍ୟଙ୍କ ଏହି ନୀତିବାଣୀ କହିଛନ୍ତି; “କାର୍ଯ୍ୟ ପୁରୁଷ କରେ ନା ଲକ୍ଷ୍ୟମ୍ ସମ୍ପାଦାୟତେଃ...”
ମହିଳା ସଶକ୍ତିକରଣ ଉପରେ କହିବା ବେଳେ ନିର୍ମଳା ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଗୃହରେ ଉପସ୍ଥାପନ କରିଥିଲେ । ‘ବିନା ଡେଣାରେ ପକ୍ଷୀର ଉଡାଣ ଅସମ୍ଭବ, ମହିଳାଙ୍କ ବିକାଶ ବିନା ଭାରତର ଅର୍ଥନୀତିର ବିକାଶ ଅସମ୍ଭବ’ । ତେବେ ଆମ ସରକାର ପ୍ରଭୁ ବସାଭେଶ୍ୱରଙ୍କ ନୀତିକୁ ମାନି ଚାଲିଛନ୍ତି । ‘କାମ ହେଉଛି ପୂଜା’ କହି ଗୃହରେ ଉଦାହରଣ ଦେଇଥିଲେ ଅର୍ଥମନ୍ତ୍ରୀ ।
ତେବେ ବଜେଟରେ ଟିକସ କଥା ଉପସ୍ଥାପନ କରିବା ବେଳେ ତାମିଲର ଏକ ଗପ କହିଥିଲେ ସୀତାରମଣ । ତମାମ ବଜେଟରେ ଏହି କବିତା, ନୀତିବାଣୀ କହି ଅର୍ଥମନ୍ତ୍ରୀ ବିରୋଧୀଙ୍କୁ କଟାକ୍ଷ କରିଥିଲେ ।