କନକ ବ୍ୟୁରୋ: କଲେଜରେ କଲମ, ହଷ୍ଟେଲରେ କଇଁଚି । ମହାବିଦ୍ୟାଳୟରେ ପାଠ ପଢି ଆସିବା ପରେ ଛାତ୍ରାବାସରେ ଆରମ୍ଭ ହୁଏ ପେଟ ପାଇଁ ସଙ୍ଘର୍ଷ । ମହଙ୍ଗା ସହରରେ ପଢିବା ପାଇଁ ସିନା କଲେଜ ସିଟ୍ ମିଳିଯାଇଛି ହେଲେ ପଢାଖର୍ଚ୍ଚ ଉଠାଇବାକୁ ଅର୍ଥ ସାଜିଛି ପ୍ରତିବନ୍ଧକ । ତେଣୁ ହଷ୍ଟେଲର ସହପାଠୀ ଓ ସିନିୟରଙ୍କ ଚୁଟି କାଟି ପଢାଖର୍ଚ୍ଚ ଉଠାଉଛନ୍ତି ଏଫଏମ କଲେଜର ଛାତ୍ର ରୂପକ ଦଳେଇ ।

Advertisment

ଫକୀରମୋହନ ମହାବିଦ୍ୟାଳୟରେ ଯୁକ୍ତ ୨ ୨ୟ ବର୍ଷର କଳା ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି ମୟୂରଭଞ୍ଜ କପ୍ତିପଦାର ରୂପକ । ଘରେ ବାପା ଚାଷ କାମ କରି, ମୂଲ ଲାଗି ପରିବାର ଚଳାଉଥିବାରୁ ପୁଅକୁ ପଢାଇବା ତାଙ୍କ ପକ୍ଷେ ଅସମ୍ଭବ । ତେଣୁ ଘରଠୁ ଦୂରରେ ରହି ପାଠ ପଢୁଥିବା ରୂପକ ନିଜ ପଢାଖର୍ଚ୍ଚ ନିଜେ ଉଠାଇବାକୁ ଖୁର, କଇଁଚିର ସାହାରା ନେଇଥିଲେ ।

ରବିବାର ହେଲେ ଏଫଏମ ଅଟୋନୋମସ କଲେଜର ରତ୍ନଗିରି ଛାତ୍ରାବାସ ସାଜେ ରୂପକଙ୍କ ପାଇଁ ସେଲୁନ । ଚେୟାରଟେ ପକେଇ ଦେଇ, କାନ୍ଧରେ ଗାମୁଛା ପକାଇ ଚୁଟି କାଟିବାରେ ଲାଗି ପଡନ୍ତି ରୂପକ । ସ୍ୱପ୍ନ ସତ କରିବାକୁ ଶ୍ରେଣୀ ଗୃହରେ ଯେମିତି ପାଠ ପଢନ୍ତି ରୂପକ, ଅର୍ଥର ଅଭାବ ଥିବାରୁ ସ୍ୱପ୍ନର ପଥକୁ ସୁଦୃଢ କରିବାକୁ ସାଇଁ ସାଇଁ ଚାଲେ କଇଁଚି । ପାନିଆ ଓ ଟ୍ରିମର ସାହାଯ୍ୟରେ ସାଙ୍ଗ ଓ ସିନିୟରଙ୍କ ଚୁଟି କାଟି ଖର୍ଚ୍ଚ ଉଠାନ୍ତି ରୂପକ ।

ଗାଁରୁ ଦେଖି ଶିଖିଥିବା କଳା, କଲେଜ କ୍ୟାରିୟରେ ନିଜ ଭବିଷ୍ୟତ ଗଢିବାକୁ ଯେ ଶକ୍ତି ଦେବ ତାହା କେବେ ଭାବିନଥିଲେ ରୂପକ । ପଢା ସାରି ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ନିୟୋଜିତ କରି ଦେଶର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି । ସଙ୍ଘର୍ଷ କରି ସ୍ୱପ୍ନ ଗଢୁଥିବା ରୂପକ ତାଙ୍କ ଜୀବନରେ ସଫଳତା ହାସଲ କରନ୍ତୁ ।