କୋଲକାତାରେ ଭୁଶୁଡିଲା ପୋଲ ! ବ୍ରିଜର ଗୋଟିଏ ଅଂଶ ଭାଙ୍ଗିଯିବାରୁ ଜଣେ ମୃତ, ୬ ଆହତ, ଫସିରହିଛି ଅନେକ ଯାନବାହନ ।

41

କନକ ବ୍ୟୁରୋ : କୋଲକାତାରେ ଭୁଶୁଡିଲା ଫ୍ଲାଏ ଓଭର । ଦକ୍ଷିଣ କୋଲକାତାର ମାଝେରହାଟ ଅଂଚଳରେ ଥିବା ଫ୍ଲାଏ ଓଭର ଭୁଶୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ୬ଜଣଙ୍କୁ ଭଙ୍ଗା ପୋଲ ତଳୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ବି ଭଙ୍ଗା ଫ୍ଲାଏଓଭର ତଳେ ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି । ଭାଙ୍ଗିପଡ଼ିଥିବା ପୋଲ ତଳେ କିଛି ବସ୍, କାର ଏବଂ ଦୁଇ ଚକିଆ ଯାନ ଫଶି ରହିଛି । ଏନଡିଆରଏଫ୍ ଟିମ୍, ପୁଲିସ୍, ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ନିକଟରେ ଥିବା ଏକ ସେନା କ୍ୟାମ୍ପରୁ ଏକାଧିକ ଯବାନ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଅଚାନକ୍ ୪୦ ବର୍ଷ ତଳର ଏହି ଫ୍ଲାଏ ଓଭରର କିଛି ଅଂଶ ଭୁଷୁଡି ପଡ଼ିଥିଲା । ଏହି ଅଘଟଣକୁ ଗୁରୁତର ସହ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏହି ଅଘଟଣକୁ ନେଇ ସମସ୍ତେ ବିବ୍ରତ । ଘଟଣାସ୍ଥଳରେ କଣ ସ୍ଥିତି ରହିଛି ସେ ଉପରେ ସରକାରଙ୍କ ନଜର ରହିଛି । ବର୍ତମାନ ସମୟରେ ଲୋକଙ୍କ ଉଦ୍ଧାରକାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଫ୍ଲାଏଓଭର ଦୁର୍ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ଥିବା ମାଝେରହାଟ ପୋଲ ଭାଙ୍ଗିପଡିଛି । ଫଳରେ ପୋଲ ଉପରେ ଯାଉଥିବା ଅନେକ ଲୋକ ଓ ଗାଡି ଏହାରି ଭିତରେ ଦବି ରହିଛି । ମାଝେରଘାଟ ରେଳ ଷ୍ଟେସନକୁ ଲାଗି ରହିଛି ଏହି ପୋଲ । କୁହାଯାଉଛି ଏହି ପୋଲ ୪୦ବର୍ଷରୁ ଅଧିକ ପୁରୁଣା ହେବ । ନିକଟରେ କୋଲକାତାରେ ଏପରି ପୋଲ ଭୁଷୁଡି ପଡିବାରେ ଏହା ହେଉଛି ତୃତୀୟ ଘଟଣା । ୨୦୧୬ରେ ମଧ୍ୟ କୋଲକାତାରେ ଏପରି ପୋଲ ଭୁଷୁଡି ପଡିଥିଲା । ନିର୍ମାଣଧୀନ ଏକ ପୋଲ ଭୁଷୁଡି ପଡିବା ଯୋଗୁଁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଶହେରୁ ଅଧିକ ଲୋକ ଆହତ ହୋଇଥିଲେ ।

ମାଝେରହାଟ ପୋଲ ଭୁଷୁଡିବା ପରେ ସେଠାରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏନଡିଆରଏଫ ସହ ସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦାର୍ଜିଲିଂ ଗସ୍ତରେ ଅଛନ୍ତି । ତେବେ ଘଟଣାର ତଦନ୍ତ ପରେ କରାଯିବ ଏବେ ଉଦ୍ଧାରକାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି । ସେପଟେ ମାଝେରହାଟ ପୋଲ ଦେଇ ଯାଇଥିବା ରାସ୍ତାକୁ ବନ୍ଦ କରିଦିଆଯାଇଛି । ଏବଂ ଏଥିପାଇଁ ଅନ୍ୟାନ୍ୟ ବିକଳ୍ପ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।