ସହର ଭିତରେ ବିପଦପୂର୍ଣ୍ଣ ପୋଲ ମରାମତି । ବାଲେଶ୍ୱରରେ ଚାଲିଛି ଓଡ଼ିଶାର ପ୍ରଥମ ଫ୍ଲାଏ ଓଭର ବ୍ରିଜର ମରାମତି କାମ, ହେଲେ ଲୋକଙ୍କ ସୁରକ୍ଷା ପ୍ରତି ନାହିଁ ନଜର, ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ।

229

କନକ ବ୍ୟୁରୋ : ବାଲେଶ୍ୱରର ଉଡ଼ନ୍ତା ପୋଲ । କୁହାଯାଏ ଏହା ହେଉଛି ଓଡ଼ିଶାର ପ୍ରଥମ ଉଡ଼ନ୍ତା ପୋଲ । ପୋଲ ଦୁର୍ବଳ ହେବାରୁ ମରାମତି କାର୍ଯ୍ୟ କରୁଛି ପୂର୍ତ୍ତ ବିଭାଗ ଓ ଦିଲ୍ଲୀର ଏକ ଘରୋଇ ସଂସ୍ଥା । ମାତ୍ର କାମ ଚାଲିଥିବା ବେଳେ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ପ୍ରତ୍ୟେକ ଦିନ ବାଜିରେ ଲାଗୁଛି ଲୋକଙ୍କ ଜୀବନ ।

ବାଲେଶ୍ୱରର ଉଡନ୍ତା ପୋଲର ବିପଦପୂର୍ଣ୍ଣ ମରାମତି । ଝୁଲି ରହିଛି ଭଙ୍ଗା କଂକ୍ରିଟ୍ ଖଣ୍ଡ । ଦୁର୍ବଳ ପୋଲର ମରାମତି କରାଯାଉଛି, ହେଲେ ପୋଲ ନିକଟ ଦେଇ ଯାତାୟାତ କରୁଥିବା ଯାତ୍ରୀଙ୍କ ସୁରକ୍ଷା ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଶ୍ରମିକଙ୍କ ସୁରକ୍ଷା ପାଇଁ ବି କିଛି ବ୍ୟବସ୍ଥା ନାହିଁ । ତେଣୁ ଏହାକୁ ନେଇ ବାଲେଶ୍ୱର ସହରରେ ଅସନ୍ତୋଷର ନିଆଁ ଜଳୁଛି ।

ସହର ମଝିରେ ବିପଦପୂର୍ଣ୍ଣ ପୋଲ ମରାମତି । ବାରମ୍ବାର ଦୁର୍ଘଟଣା ପରେ ବି ଶୁଣୁନି ଠିକା ସଂସ୍ଥା । ଓଡିଶାର ପ୍ରଥମ ଉଡନ୍ତା ପୋଲର ମରାମତି କାମ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବା ବେଳେ ଦିଲ୍ଲୀର ଏକ ଠିକା ସଂସ୍ଥା ହର୍କୁଲସ୍ କମ୍ପାନୀ କାମ କରୁଛି । ହେଲେ ଏଠାରେ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନାହିଁ ସଂପୃକ୍ତ ସଂସ୍ଥା । ପୋଲ ତଳେ ଯା’ଆସ କରୁଥିବା ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ବିପଦପୂର୍ଣ୍ଣ ମରାମତି ସମ୍ପର୍କରେ ସମ୍ପୃକ୍ତ ଠିକା ସଂସ୍ଥାର କର୍ମଚାରୀ ନିଜ ସପକ୍ଷରେ ସଫେଇ ରଖିଥିବା ବେଳେ ପୂର୍ତ୍ତ ବିଭାଗ ଅଧିକାରୀ କହିଛନ୍ତି, ଏ ଦିଗରେ ପଦକ୍ଷେପ ନିଆଯିବ ।