ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ରରେ ଭୁଶୁଡ଼ିପଡ଼ିଲା ଫ୍ଲାଏଓଭର ! ପୋଲ ତଳେ ଚାପି ହୋଇ ୧୨ ମୃତ, ଫଶି ରହିଛନ୍ତି ୫୦ରୁ ଅଧିକ ଲୋକ

54

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ବଡ଼ଧରଣର ଦୁର୍ଘଟଣା । ଭୁଷୁଡ଼ିପଡ଼ିଲା ନିର୍ମାଣଧୀନ ଫ୍ଲାଏଓଭର । ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣାରେ ୫୦ ଲୋକ ଫଶି ରହିଥିବା ଆଶା କରାଯାଉଛି । ଏହାସହ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲ ତଳେ ଚାପି ହୋଇ ରହିଥିବାରୁ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, କେଣ୍ଟ ଅଞ୍ଚଳରେ ଥିବା ଏହି ଫ୍ଲାଏଓଭରର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ହଠାତ୍ ଏହାର ଏକ ଅଂଶ ଭାଙ୍ଗିପଡ଼ିଥିଲା । ଯାହାଦ୍ୱାରା ଫ୍ଲାଏଓଭର ତଳେ ଅନେକ ଗାଡ଼ି ଚାପି ହୋଇଯାଇଥିଲା । ଏହାସହ ସେହି ବାଟରେ ଯାଉଥିବା କିଛି ଲୋକମାନେ ମଧ୍ୟ ପୋଲ ତଳେ ଚାପି ହୋଇଯାଇଛନ୍ତି । ତେବେ କେତେ ସଂଖ୍ୟାରେ ଲୋକ ପୋଲ ତଳେ ଚାପି ହୋଇଛନ୍ତି ତାହା ଏଯାଏଁ ସ୍ପଷ୍ଟ ଜଣାପଡ଼ିନାହିଁ । ଏହି ଦୁର୍ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଯଥାସମ୍ଭବ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହାଛଡ଼ା ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ।

ଯେଉଁଠି ନିଜ ସଂସଦୀୟ କ୍ଷେତ୍ରକୁ ପ୍ରଧାନମନ୍ତ୍ରୀ ମୋଦି ଜାପାନର ଧାର୍ମିକ ରାଜଧାନୀ କ୍ୟୁଟୋ ଭଳି ବିକଶିତ କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେଠାରେ ଏତେବଡ଼ ଦୁର୍ଘଟଣାକୁ ନେଇ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି ।