ସଙ୍ଗୀତ ନିଶାରେ ନରସିଂହ । ନାକରେ କରୁଛନ୍ତି ବଂଶୀ ବାଦନ ।

46

କନକ ବ୍ୟୁରୋ: କବିବର ରାଧାନାଥ ରାୟଙ୍କ ମାଟିର ପୁଅ ନିଆର ପ୍ରତିଭା ନରସିଂହ ନାୟକ। ନାକରେ ବଂଶୀ ବାଦନ ତାଙ୍କୁ ଦେଇଛି  ସ୍ଵତନ୍ତ୍ର ପରିଚୟ । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ ଉଛବପୂର ଗାଁ ର ନରସିଂହ ନାୟକଙ୍କୁ ବୟସ ୬୬ ଛୁଇଁଲାଣି । ବୃତ୍ତିରେ ସେ ଜଣେ ସାମ୍ବାଦିକ ହେଲେ ନିଶା ତାଙ୍କର ବଂଶୀ ବାଦନ । ନରସିଂହଙ୍କ ବାପା ଜଣେ ଚଢ଼େୟା ନାଟ୍ୟର କଳାକାର ଥିଲେ । ତାଙ୍କ ପାଖରେ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ଥିଲା । ବାପାଙ୍କ ଠାରୁ ପ୍ରେରଣା ପାଇ ବଂଶୀ ବାଦନ ଆରମ୍ଭ କରିଥଲେ ନରସିଂହ।

୨୦୦୯ ମସିହାରୁ ନରସିଂହ ନାକରେ ବଂଶୀ ବଜାଇବା ଆରମ୍ଭ କରିଥଲେ । ଏହା ପୂର୍ବରୁ ସେ ପାଟିରେ ବଂଶୀ ବଜାଉଥିଲେ । ବିନା ଗୁରୁରେ ନରସିଂହ ନିଜେ ଅଭ୍ୟାସ କରି ବଂଶୀ ବାଦନ ଶିଖିଛନ୍ତି । ସାଜନପୁର ପଞ୍ଚାୟତରେ ଘନଶ୍ୟାମ ଦୀକ୍ଷିତଙ୍କ ଦାନ୍ତ ପଡ଼ିଯିବା ପରେ ନାକରେ ବଂଶୀ ବଜାଉଥିଲେ । ତାଙ୍କଠୁ  ପ୍ରେରଣା ପାଇ ନରସିଂହ ନାକରେ ବଂଶୀ ବଜାଇବା ଅଭ୍ୟାସ କରି ଅତି ଚମତ୍କାର ଭାବେ ନାକରେ ବଂଶୀ ବଜାଉଛନ୍ତି ।

ଅନ୍ୟପଟେ ନାକରେ ବଂଶୀ ବଜାଇ ନରସିଂହ ଅନେକ ପ୍ରଶଂସାପତ୍ର ପାଇଛନ୍ତି । ଓଡିଆରେ ସ୍ନାତକ କରିବା ସହ କାବ୍ୟକବିତା ମଧ୍ୟ ଲେଖା ଲେଖି କରନ୍ତି ନରସିଂହ । ସବୁଠି ବଂଶୀ ବଜାଇ ନରସିଂହଙ୍କ ଆତ୍ମା ଶାନ୍ତି ପାଏ ବୋଲି ସେ କୁହନ୍ତି । ହରିନାମ ଶୁଣିଲେ ସେ ଆପେ ସେହି ଜାଗାକୁ ଯାଇ ବିଭିନ୍ନ ସ୍ଵର ଦେଇ ବଂଶୀ ବଜାନ୍ତି । ସବୁଠାରୁ ବଡ଼କଥା ହେଲା ନରସିଂହ ପ୍ରତିଦିନ ଭୋର ୪ ଟାରେ ବର୍ଣ୍ଣବୋଧ କଥା ବସ୍ତୁକୁ ନେଇ ବଂଶୀ ବଜାନ୍ତି ।