ଇତିହାସ ରଚିଲେ ୪ ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରିଲେ ଏୟାର ଇଣ୍ଡିଆର ୪ମହିଳା କ୍ୟାପଟେନ୍ ।

213

କନକ ବ୍ୟୁରୋ : ଇତିହାସ ରଚିଲେ ୪ ପାଇଲଟ୍ । ବିଶ୍ୱର ସବୁଠୁ ଲମ୍ବା ଉଡାଣ ଭରିଛନ୍ତି ଏୟାର ଇଣ୍ଡିଆର ୪ମହିଳା ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରି ବେଙ୍ଗାଲୁରୁର କାମ୍ପାଗୌଡା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଆମେରିକାର ସାନଫ୍ରାନସିସକୋରୁ ଉତ୍ତର ମେରୁ ଉପରେ ବିମାନ ଉଡାଇ ବେଙ୍ଗାଲୁରୁରେ ପହଂଚିଛନ୍ତି ।

ଏହି ଦୂରତା ଅତିକ୍ରମ କରିବା ପାଇଁ ୧୭ଘଂଟା ସମୟ ଲାଗିଛି । କ୍ୟାପଟେନ ଜୋୟା ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଦୀର୍ଘତମ ଉଡାଣକୁ ସଫଳତାର ସହ ଶେଷ କରିଛନ୍ତି ଏହି ଟିମ୍ । କେବଳ ଉତର ମେରୁ ଉପରେ ବିମାନ ଉଡାଇ ନାହାନ୍ତି ବରଂ ମହିଳା ପାଇଲଟ ସଫଳତାର ସହ ଦୀର୍ଘତମ ଯାତ୍ରା ଶେଷ କରିପାରିଥିବା କହିଛନ୍ତି କ୍ୟାପଟେନ ଜୋୟା ଅଗ୍ରୱାଲ ।

ଏହି ଦୀର୍ଘତମ ଯାତ୍ରାକୁ ପୂରଣ କରି ପୁରା ବିଶ୍ୱକୁ ନିଜର ଦମ ଦେଖାଇଛନ୍ତି ଏହି ପାଇଲଟ । ବିମାନ ବନ୍ଦରରେ ପହଂଚିବା ପରେ ଏମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏହି ଦୀର୍ଘତମ ଉଡାଣ ଭରି ଇତିହାସ ରଚିଛନ୍ତି କ୍ୟାପଟେନ ଜୋୟା ଅଗ୍ରୱାଲ, କ୍ୟାପଟେନ ପାପାଗିରି ଥାନମାଇ, କ୍ୟାପଟେନ ଆକାଂକ୍ଷା ସୋନାୱରେ ଓ କ୍ୟାପଟେନ ଶିବାନୀ ମାନହସ । ଏହା ସମସ୍ତଙ୍କ ପାଇଁ ଉତ୍ସାହଜନକ ଅନୁଭୂତି ଥିବା କହିଛନ୍ତି କ୍ୟାପଟେନ ଶିବାନୀ ମାନହସ ।

୧୭ଘଂଟାର ଯାତ୍ରା କରି ଏହି ପାଇଲଟ ମାନେ ସଫଳତାର ସହ ବେଙ୍ଗଲୁରୁରେ ପହଂଚିଛନ୍ତି । ଏହି ଯାତ୍ରାକୁ ପୂରଣ କରି ପାଇଲଟ ମାନେ ୧୦ଟନ୍ ବିମାନ ଇନ୍ଧନ ମଧ୍ୟ ବଂଚାଇଛନ୍ତି । ଏହାସହ ସାନଫ୍ରାନସିସକୋରୁ ବେଙ୍ଗଲୁରୁ ପର୍ଯ୍ୟନ୍ତ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଛି ।