ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଦୁର୍ଘଟଣା କମାଇବାକୁ ପ୍ରୟାସ : ଡିଭାଇଡରରେ ଲାଗିବ ଫୁଲଗଛ

Advertisment
ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଦୁର୍ଘଟଣା କମାଇବାକୁ ପ୍ରୟାସ : ଡିଭାଇଡରରେ ଲାଗିବ ଫୁଲଗଛ

କନକ ବ୍ୟୁରୋ: ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ରୋକିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି।  ନାଲ୍‌କୋ ଓ ଡମଣା ଛକରେ ଟ୍ରାଫିକ୍ ଭିଡ଼ ଏଡ଼ାଇବା ପାଇଁ ସମାନ୍ତରାଳ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଲାଗୁ ହୋଇଛି। ଏଥିସହ ଭିଡ଼ ସୃଷ୍ଟି କରୁଥିବା ଓମଫେଡ୍ ଟ୍ରାଫିକ୍ ପୋଷ୍ଟ ବନ୍ଦ ହୋଇଛି। ଡମଣା ଛକରୁ ରେଳ ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତା ମରାମତି ପରେ ଟ୍ରାଫିକ୍ ସମସ୍ୟାରେ କିଛିଟା ସୁଧାର ଆସିପାରିଛି। ତେବେ ଏହି ରାସ୍ତାରେ ଏପର୍ଯ୍ୟନ୍ତ ଦୁର୍ଘଟଣାକୁ ଏଡ଼ାଇଯାଇ ପାରିନାହିଁ।

ବିଶେଷକରି ସନ୍ଧ୍ୟା ପରେ ଏହି ରାସ୍ତାରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ବିପରୀତ ଦିଗରୁ ଆସୁଥିବା ଗାଡ଼ି ଲାଇଟ୍ ଦ୍ବାରା ଚାଳକମାନେ ଅସୁବିଧାରେ ପଡ଼ୁଛନ୍ତି। ଦୁର୍ଘଟଣା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ରାସ୍ତା ମଝିରେ ଥିବା ଡିଭାଇଡରରେ ଅର୍ନାମେଣ୍ଟାଲ ଗଛ ଅପେକ୍ଷା ଘଞ୍ଚ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଫଳସ୍ବରୂପ ବିପରୀତ ଦିଗରୁ ଆସୁଥିବା ଗାଡ଼ିର ଲାଇଟ୍ ଚାଳକଙ୍କ ଆଖିରେ ପଡ଼ିବ ନାହିଁ ଏବଂ ଦୁର୍ଘଟଣାକୁ ହ୍ରାସ କରାଯାଇ ପାରିବ। ସୂଚନା ଅନୁଯାୟୀ ହକି ବିଶ୍ବକପ୍ ସମୟରେ ଏହି ରାସ୍ତା ଡିଭାଇଡର ସୌନ୍ଦର୍ଯ୍ୟୀକରଣ ବୃଦ୍ଧି କରାଯାଇଥିଲା। ଜୟଦେବବିହାରରୁ ମ୍ୟାଗନେଟ୍ ଛକ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ପ୍ରଜାତିର ଅର୍ନାମେଣ୍ଟାଲ ଗଛ ଲଗାଯାଇଥିଲା।

ଡିଭାଇଡରରେ ଥିବା ଖୁଣ୍ଟଗୁଡ଼ିକରେ ବି ଗଛ ଟଙ୍ଗା ଯାଇ ସୌନ୍ଦର୍ଯ୍ୟ ବଢ଼ାଯାଇଥିଲା। ତେବେ ତାହା ବେଶି ଦିନ ପର୍ଯ୍ୟନ୍ତ ରହି ନ ଥିଲା। ଯତ୍ନ ଅଭାବରୁ ସେଗୁଡ଼ିକ ମରିଯାଇଥିଲା। ଏବେ ସୌନ୍ଦର୍ଯ୍ୟକୁ ପୁଣିଥରେ ଫେରାଇ ଆଣିବାକୁ ପ୍ରୟାସ ହୋଇଛି। ଅର୍ନାମେଣ୍ଟାଲ ଗଛ ବଦଳରେ ଡିଭାଇଡରରେ କନିଅର ଓ କାଗଜଫୁଲ ଗଛ ଲଗାଯାଉଛି। ଗତ ଦୁଇ ସପ୍ତାହ ହେଲା ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯେଉଁ କିଛି ପୁରୁଣା ଗଛ ରହିଯାଇଥିଲା ତାହାକୁ ଓପଡ଼ା ଯିବା ସହ ମାଟି ପକାଇ ନୂଆ ଗଛ ଲଗାଯାଉଛି। ଏହାଦ୍ବାରା ରାସ୍ତାପାର୍ଶ୍ବର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଦୁର୍ଘଟଣା ରୋକାଯାଇପାରିବ। ଜାନୁଆରି ଶେଷ ସୁଦ୍ଧା ଏହି ଗଛ ଲଗା କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଏମସିର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe