ଫୁଲ ରସିଆଙ୍କୁ ଫୁଲ ଅଭାବ ! ସୁନ୍ଦର ହେଉଛି ବଡଦାଣ୍ଡ, ହେଲେ ବଡ଼ଠାକୁରଙ୍କ ପାଇଁ ଅଭାବ ହେଉଛି ଫୁଲ । ନୀତିକାନ୍ତି ଓ ବେଶ ପାଇଁ ଫୁଲ କମ ପଡୁଥିବାରୁ ସେବାୟତଙ୍କ ଅସନ୍ତୋଷ

398

କନକ ବ୍ୟୁରୋ: ଫୁଲ ରସିଆଙ୍କୁ ଫୁଲ ଅଭାବ । ସୌକିନିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପାଇଁ ନିଅଣ୍ଟ ପଡୁଛି ଫୁଲ । ଫୁଲରେ ସଜେଇ ହେବାକୁ ପସନ୍ଦ କରନ୍ତି ବଡ ଠାକୁର । ଶ୍ରୀଜିଉଙ୍କ ଅନେକ ବେଶର ପ୍ରମୁଖ ଅଂଶ ସାଜିଥାଏ ଫୁଲ । ପ୍ରତିଦିନ ବଡସିଂହାର ବେଶରେ ବିଭିନ୍ନ ଫୁଲରେ ସଜେଇ ହୋଇଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଙ୍ଗବେରଙ୍ଗ ଫୁଲ ସହ ତୁଳସୀ ଓ ଦୟଣାରେ ବେଶ ସୁନ୍ଦର ଦେଖାଯାଆନ୍ତି ବଡଠାକୁର । ପ୍ରତିଦିନ ୩୦ରୁ ଅଧିକ ନୀତିକାନ୍ତି ଭିତରେ ୫ଟି ବେଶରେ ଦର୍ଶନ ଦିଅନ୍ତି ଶ୍ରୀଜିଉ ।

କିନ୍ତୁ ଏବେ ପ୍ରଭୁଙ୍କ ପାଖରେ ଲାଗି ହେବାକୁ ମିଳୁନାହିଁ ପର୍ଯ୍ୟାପ୍ତ ପରିମାଣର ଫୁଲ । ଶ୍ରୀମନ୍ଦିରରେ ଦେଖାଦେଇଛି ଫୁଲର ଅଭାବ । ଶ୍ରୀଜିଉଙ୍କ ସିଂହାର ବେଶ ପାଇଁ ଫୁଲର ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ । ଶ୍ରୀମନ୍ଦିରର ବାହ୍ୟ ସୌନ୍ଦର୍ଯ୍ୟ ବଢିଥିବା ବେଳେ ଭିତରର କଥା ବୁଝିବାକୁ କେହି ଯେମିତି ତତ୍ପର ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଶ୍ରୀଜିଉଙ୍କ ଆବଶ୍ୟକତା ପୂରଣ ପାଇଁ ଶ୍ରୀମନ୍ଦିର ପରିସରରେ ରହିଛି କୋଇଲି ବୈକୁଣ୍ଠ ଓ ନିଳାଦ୍ରୀ ଉପବନ । ଏଠାରୁ ତୁଳସୀ, ଦୟଣା ସମେତ ଭିନ୍ନ ଭିନ୍ନ ପ୍ରକାରର ଫୁଲ ସଂଗୃହୀତ ହୋଇ ମହାପ୍ରଭୁଙ୍କୁ ଲାଗି ହୋଇଥାଏ । ଯେଉଁଠି ଆଜିର ସମୟରେ ଫୁଲ ଓ ଫଳରେ ଭରିଯିବା କଥା, ହେଲେ ବିଭିନ୍ନ ନିର୍ମାଣ କାମ ଭିତରେ ଟାଙ୍ଗରା ଭୂଇଁ ହୋଇଯାଇଛି ଏହି ଉପବନ । ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ତତ୍ୱାବଧାନର ଅଭାବ ଏବେ ଶ୍ରୀମନ୍ଦିରରେ ଫୁଲ ସମସ୍ୟା ସୃଷ୍ଟି କରୁଛି ।

ତେବେ ରଥଯାତ୍ରା ସମୟରେ ଫୁଲରେ ସଂପୂର୍ଣ୍ଣ ସଜେଇ ହୋଇଯାଇଥିଲା ଶ୍ରୀମନ୍ଦିର । ଏବେ ଉଚ୍ଛେଦ ପରେ ସୁନ୍ଦର ହୋଇ ଯାଇଛି ସିଂହଦ୍ୱାର ଓ ବଡଦାଣ୍ଡ । କିନ୍ତୁ ଏହାରି ଭିତରେ ସତେ ଯେମିତି ଗମ୍ଭୀରୀ ଭିତରେ ଥିବା ଶ୍ରୀଜିଉଙ୍କ ସୁନ୍ଦରତା କଥା ସମସ୍ତେ ଭୁଲିଯାଇଛନ୍ତି । ବାହାରର ସାଜସଜ୍ଜାକୁ ସମସ୍ତେ ଗୁରୁତ୍ୱ ଦେଉଥିବା ବେଳେ ଠାକୁରେ କେମିତି ଫୁଲରେ ପୂଜା ହେବେ ତା ପ୍ରତି ଦିଆଯାଉନି ଧ୍ୟାନ । ଯାହା ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ପହଞ୍ଚାଇଛି ।