ଛାତ ଉପରେ ଫୁଲ ପରିବା ବଗିଚା । ପରିବାର ସଦସ୍ୟଙ୍କ ଭଳି ଯତ୍ନ ନଉଛନ୍ତି, ୧୫୦ ଅଧିକ ପ୍ରଜାତିର ଫୁଲରେ ସୁନ୍ଦର ବଗିଚା ତିଆରି କରିଛନ୍ତି ଅମୀୟ ପ୍ରସାଦ

201

କନକ ବ୍ୟୁରୋ: ଅନେକ ଭାବନ୍ତି ପୁଷ୍ପ ଉଦ୍ୟାନ କେବଳ ସଉକିଆ ଲୋକଙ୍କ କାମ । ଆଉ କେହି ଭାବନ୍ତି ଯେ ଏହା ସମୟ ସାପେକ୍ଷ । ପୁଷ୍ପ ଉଦ୍ୟାନଟିଏ ପ୍ରସ୍ତୁତ କରିବା ପାଇଁ ହେଲେ ବହୁତ ଜାଗା ଦରକାର ଅଳ୍ପ ଜାଗାରେ ଏହା ସମ୍ଭବପର ନୁହଁ ବୋଲି କିଛି ଲୋକଙ୍କ ଧାରଣା ରହିଛି । ହେଲେ ଏହି ଧାରଣାକୁ ଭୂଲ୍ ବୋଲି ପ୍ରମାଣିତ କରିଛନ୍ତି ପୂର୍ବତଟ ରେଳବାଇରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ଅମୀୟ ପ୍ରସାଦ ସାହୁ । ନିଜ ଉଦ୍ୟମରେ ଘର ଛାତ ଉପରେ ତିଆରି କରିଛନ୍ତି ଅତି ସୁନ୍ଦର ଫୁଲ ବଗିଚା ।ଏହି ଫୁଲ ବଗିଚାରେ ପ୍ରାୟ ୯୦ ରୁ ଅଧିକ ପ୍ରକାରର ଫୁଲ । ଆଉ ତା ସହ ବିଭିନ୍ନ ପନିପରିବାର କିଚେନ୍ ଗାର୍ଡେନ । ସେ ସବୁ ଗଛକୁ ନିଜ ପରିବାର ସଦସ୍ୟଙ୍କ ଭଳି ଯତ୍ନ ନିଅନ୍ତି ଅମୀୟ ।

ଏପରିକି ଶୀତ ଛୁଟିରେ ଅଧିକ ଫୁଲ ଫୁଟିବା ସମୟ ହୋଇଥିବାରୁ ସେ ସମୟରେ ଉଦ୍ୟାନରେ ଅଧିକ ସମୟ ଦେବାକୁ ପଡିଥାଏ ସେଥିପାଇଁ ପରିବାର ସହ ଛୁଟି କଟେଇବାକୁ ମଧ୍ୟ ବାହାରକୁ ଯିବାକୁ ପସନ୍ଦ କରନ୍ତି ନାହିଁ ଅମୀୟ । ଜଣେ କାର୍ଯ୍ୟରତ ପୋଲିସ୍ ଅଧିକାରୀ ହୋଇଥିବାରୁ ବ୍ୟସ୍ତ ବହୁଳ ଜୀବନ ଭିତରେ ଉଦ୍ୟାନ ପାଇଁ ସମୟ ବାହାର କରିବା ମୁସ୍କିଲ ହୋଇପଡେ ଅମୀୟଙ୍କୁ । କିନ୍ତୁ ନିଜର ସଉକ ପାଇଁ ପୁଷ୍ପ ଉଦ୍ୟାନରେ ଗଛ ଗୁଡିକର ଯତ୍ନ ନେବାରେ ଲାଗିପଡିଥାନ୍ତି ଅମୀୟ ।

ଚାକିରୀ ସମୟ ଭିତରୁ ସମୟ କାଢି ଘରର ଛାତ ଉପରେ ଗୋଲାପ, କେତକୀ, ଡାଲିଆ, ସେବତୀ,କାଲେଂଚୁ,ଆନ୍ଥୋରିୟମ୍, ମନିପ୍ଲାଂଟ, ପିଟୁନିଆ, ସାଲଭିଆ, ପାଇସ୍ଲିଲି ଭଳି ବିଭିନ୍ନ ପ୍ରଜାତିର ପନ୍ଦର ଶହରୁ ଅଧିକ ଫୁଲ । ଏଭଳି ଏକ ପୁଷ୍ପ ଉଦ୍ୟାନ ଓ କିଚେନ୍ ଗାର୍ଡେନ କରି ନିଜର ଏକ ନିଆରା ପରିଚୟ ସୃଷ୍ଟି କରି ପାରିଛନ୍ତି ଅମୀୟ । ଯାହାକୁ ଦେଖିବା ପାଇଁ ତାଙ୍କ ନିଜ ବିଭାଗୀୟ ଅଧିକାରୀ ଓ ଅନ୍ୟ ବିଶେଷ ବ୍ୟକ୍ତି ମାନେ ତାଙ୍କ ଘରକୁ ଛୁଟି ଆସନ୍ତି । ତାଙ୍କ ବିଭାଗରେ ଏଥିପାଇଁ ତାଙ୍କୁ ଢେର ପ୍ରଂଶସା ଓ ଅନେକ ଜାଗାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।