କନକ ବ୍ୟୁରୋ : ମହିଳାଙ୍କୁ ରୋଜଗାର ଦେଉଛି ସେବତି ଚାଷ । ଧଳା ରଙ୍ଗର ସେବତି ଫୁଲରେ ଭର୍ତି ହୋଇଛି କ୍ଷେତ । କିଏ ଗଛରେ ପାଣି ଦେଉଛି ତ ପୁଣି କିଏ ଫୁଲ ସଂଗ୍ରହ କରୁଛି । ମହିଳା ମାନେ ଏକାଠି ହୋଇ ଫୁଲ ଚାଷକୁ ଆପଣାଇଛନ୍ତି । ଏ ଦୃଶ୍ୟ ହେଉଛି ରାୟଗଡ଼ା କୋଲନରା ବ୍ଲକ ସରାବୁଗୁଡ଼ା ଗାଁର । ଖାଲି ସେବତି ଫୁଲ ନୁହେଁ ମଖମଲ୍ଲି, ଚେରୀ, ଗେଣ୍ଡୁ ଓ ଗୋଲାପ ଚାଷ କରି ଲାଭବାନ ହେଉଛନ୍ତି ଏସଏଚଜି ମହିଳା । ଏହି ଚାଷ ପାଇଁ ମହିଳାଙ୍କୁ ସହଯୋଗର ହାତ ବଢ଼ାଇଛି ମିଶନ ଶକ୍ତି । ଫୁଲ ଚାଷ କରିବା ନିମନ୍ତେ ୩୦ ଜଣ ମହିଳାଙ୍କୁ ଜଣଙ୍କ ପିଛା ୬ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ମୋଟ୍ ୧ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ପାଖାପାଖି ୨୦ ଏକର ଜମିରେ ଫୁଲ ଚାଷ କରି ସେମାନେ କିଛି ରୋଜଗାର କରିପାରୁଛନ୍ତି । ବର୍ଷକୁ ୬୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ପାଖାପାଖି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳୁଛି । ବଜାରରେ ଫୁଲର ଚାହିଦା ରହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରକୁ ଏହି ଫୁଲ ରପ୍ତାନୀ ହେଉଛି । ଯାହାଦ୍ୱାରା ମହିଳା ମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି ।
ମହିଳା ମାନେ କେବଳ ଫୁଲ ଚାଷ କରିନାହାନ୍ତି । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ ମଧ୍ୟ କରିଛନ୍ତି । ସରକାରୀ ସହାୟତାରେ ୫ଲକ୍ଷ ଟଙ୍କା ରୁଣ ନେଇ ପଲିଥିନ୍ ଛପର ଘର ଓ ମାଛ କୁଣ୍ଡ କରି ସେମାନେ ମାଛ ଚାଷ କରିଛନ୍ତି । ଏପରିକି ସୋଲାର ମାଧ୍ୟମରେ ମାଛ ମାନଙ୍କୁ ଅକ୍ସିଜେନ ଦିଆଯାଉଛି । ପାଖାପାଖି ୬ହଜାର ମାଛ ଜାଆଁଳ କୁଣ୍ଡରେ ଚାଷ କରିଛନ୍ତି ମହିଳା । ଏହା ଦ୍ୱାରା ସେମାନେ ନିୟମିତ ରୁଣ ପୈଠକ କରିବା ସହ ବ୍ୟବସାୟକୁ ଆହୁରି ବଢ଼ାଇବାରେ ସେମାନେ ସକ୍ଷମ ହୋଇପାରୁଛନ୍ତି ।
ପୂର୍ବରୁ ଏଠାକାର ଅଧିବାସୀ ଜଙ୍ଗଲ ଯାତ ଦ୍ରବ୍ୟ ଉପରେ ଭରସା କରି ଚଳୁଥିଲେ । ଏବେ ସେମାନେ ସ୍ୱାବଲମ୍ବି ହେବା ସହ ବର୍ଷିକ ବାର ମାସ ଉପାର୍ଜନକ୍ଷମ ହୋଇପାରିଛନ୍ତି । ପ୍ରଥମ ଥର ପାଇଁ ମହିଳା ମାନେ ମାଛ ଚାଷ କରିଥିବା ବେଳେ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ଲାଭ ହେବ ବୋଲି ଆଶା ରଖିଛନ୍ତି ଏସଏଚଜି ମହିଳା ।
ଫୁଲ ଚାଷ ପାଇଁ ଓଏଲଏମ ପକ୍ଷରୁ ସହଯୋଗ ମିଳୁଥିବା ବେଳେ ମହିଳା ମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି । ଏହି ଚାଷ କରି ଦୁଇ ପଇସା ରୋଜଗାର କରୁଥିବାରୁ ଖୁସି ପ୍ରକାଶ କରିଛନ୍ତି ମହିଳା । ଅନ୍ୟ ମହିଳା ମାନଙ୍କ ପାଇଁ ମଧ୍ୟ ସେମାନେ ଉଦାରଣ ପାଲଟିଛନ୍ତି ।