ଭୁବନେଶ୍ୱର: ତାତି ଭିତରେ ରାତି ପାହି ସକାଳ ହେଲେ ନିଇତି ଫୁଲରେ ଗଭା ସଜାଉଛି ସହର ।

946

କନକ ବ୍ୟୁରୋ: ଋତୁର ନାଁ ଗ୍ରୀଷ୍ମ, ରୋମାଞ୍ଚର ନାଁ ଫୁଲ । ରାଜଧାନୀର ନାଁ ଭୁବନେଶ୍ୱର, ଏଠି ରାତି ପାହି ସକାଳ ହେଲେ ଫୁଲରେ ଗଭା ସଜାଏ ସହର । ହଁ ଇଏ ପ୍ରୀତିର ସହର, ପ୍ରତାରଣାର ସହର । ଏଠି ଫୁଲ ସାଜେ ମୁକସାକ୍ଷୀ ପ୍ରତି ସମ୍ପର୍କର । ଏଠି ପବନରେ ଝୁଲଣା ବାନ୍ଧି ପତ୍ର ଯେତିକି ଦୋହଲେ, ଫୁଲ ବି ପବନର ପହିଲି ଛୁଆଁରେ ସେତିକି ମହକେ । କଅଁଳ ସୂରୁଜର ସୁନେଲୀ କିରଣରେ ସହରର ଛାତି ଉପରେ ଝଟକୁ ଥାଆନ୍ତି ରଙ୍ଗ ବେରଙ୍ଗର ଫୁଲମାନେ ।
ରାତି ପରେ ଦିନ ଯେମିତି ବିଧିନିର୍ଦ୍ଦିଷ୍ଟ, ଫୁଲ ଫୁଟିବା ବି ଠିକ୍ ସେମିତି ବିଧିନିର୍ଦ୍ଦିଷ୍ଟ । ଚକମକ ସହରର ମାଟିର ମଲାଟ ଉପରେ ଫୁଟି ଉଠୁଥିବା ସବୁ ଫୁଲ ଯେ ବାସ ଦେବ ତା ନୁହେଁ । ବାସହୀନ ଫୁଲ ବି ଏଠି ଫୁଟନ୍ତି, ଫୁଟିବା ଜାରି ରଖନ୍ତି । ବାସ୍ନା ଥାଉ କି ନଥାଉ ଫୁଲର ଏ ରାଜଧାନୀରେ ଭଳିକି ଭଳି ଫୁଲମାନେ ଭୁବନେଶ୍ୱରକୁ ପ୍ରତି କ୍ଷଣରେ, ପ୍ରତି ପଲକରେ ବିମୋହିତ କରନ୍ତି ।

ବୈଶାଖ, ଜ୍ୟେଷ୍ଠରେ ଗ୍ରୀଷ୍ମର ଜ୍ୱାଳାରେ ଜଳିପୋଡି ଯାଏ ଜନଜୀବନ । ଖରାର ଦାଉରେ ସିଝେ ଏ ସହର, ଝାଞ୍ଜି ପବନରେ ସିଝନ୍ତି ସହରିଆ । ଉତ୍ତପ୍ତ, ଅସ୍ତବ୍ୟସ୍ତ, ଅଣନିଶ୍ୱାସୀ ଭରା ଏ ସହରରେ ମଣିଷ ତାତି ଭିତରେ ତ୍ରାହି ଖୋଜୁଥିବା ବେଳେ ଡହଡହ ଖରାରେ ମଣିଷ ମନରେ ତୃପ୍ତି ଭରେ ରାସ୍ତା କଡରେ ଫୁଟିଥିବା ଫୁଲମାନେ ।

ସ୍ମାର୍ଟସିଟିର ଫୁଲମାନେ ବି ଏ ସହର ପରି ଭାରି ସ୍ମାର୍ଟ, ଭାରି ସହନଶୀଳ । ଖରାରେ ନିଜେ ସିଝି ଏମାନେ ବାଟୋଇକୁ ଶିଖାନ୍ତି ପଥ ଅତିକ୍ରାନ୍ତର ସୂତ୍ର । ନିଜେ ଝଡି ଅନ୍ୟକୁ ଦିଅନ୍ତି ଝାଞ୍ଜି ସହ ମୁକାବିଲା କରିବାର ମନ୍ତ୍ର । ଏଠି ବାଟ ବାଟିକା ହୃଦୟରେ ଖୁସି ବୁଣେ କୃଷ୍ଣଚୂଡାର ହସ । କ୍ଲାନ୍ତ ପଥିକକୁ କ୍ଳାନ୍ତହୀନତାର କୌଶଳ ଶିଖାଏ କାଗେଜି ଫୁଲ । ମିତ୍ରତା ନୁହେଁ କିଛି କ୍ଷଣ ପାଇଁ ସୂର୍ଯ୍ୟ ସହ ଶତ୍ରୁତା କରି ସାଧାରଣଲୋକଙ୍କ ସତେଜତାର ସଞ୍ଜିବନୀ ଦିଏ ସୂର୍ଯ୍ୟମୁଖୀ ଫୁଲ । ଆଉ ପେନ୍ଥା ପେନ୍ଥା ହଳଦୀଆ ଫୁଲ ଫୁଟପାଥରେ ଝଡି ପଡି, ସୌନ୍ଦର୍ଯ୍ୟ କ୍ଷଣସ୍ଥାୟୀ ବୋଲି ବାର୍ତ୍ତା ଦିଏ…

ଖରା ହେଉ କି ବର୍ଷା ଅବା ହେଉ ଶୀତ । ବର୍ଷକ ବାରମାସ ଏ ସହରରେ ଫୁଟେ ଫୁଲ । ଆଉ ଏ ଫୁଲର ରଙ୍ଗରେ ଭାରି ଫୁଲେଇ ହୁଏ ରାଜଧାନୀ ଭୁବନେଶ୍ୱର । ଦିନ ତମାମ ଫୁଲମାନଙ୍କ ହସ, ଫୁଲମାନଙ୍କ ପ୍ରେମ ଓ ଭଲପାଇବାରେ ପୂରି ଉଠୁଥିବା ରାଜଧାନୀରୁ ଯେବେ ବିଦାୟ ନିଅନ୍ତି ରବି । ଅସ୍ତ ଯାଆନ୍ତି ସୂର୍ଯ୍ୟ, ସେବେ ନିଜ ଦେହରେ ଫୁଲର ରଙ୍ଗମାଖି ବୁଡି ଯାଆନ୍ତି ଆଉଏକ ଫୁଲଭରା ସକାଳରେ ଫୁଲର ରଙ୍ଗ ନେଇ ଉଦୟ ହେବାର ପ୍ରତିଶ୍ରୁତି ଦେଇ…