ଅର୍ଥନୀତିକୁ ଅବରୋଧ କରିଛି ବନ୍ୟାଜଳ । ରାଜପଥରେ ଅଟକି ରହିଛି ଶତାଧିକ ଟ୍ରକ୍, ଠପ୍ ହୋଇଯାଇଛି ଯାତାୟତ

105

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ଅର୍ଥନୀତିକୁ ଅବରୋଧ କରି ରଖିଛି ବନ୍ୟା ଜଳ । ଗତ କିଛି ଦିନ ର ଲଗାଣ ବର୍ଷା ପରେ ମୋଟୁ ଅଂଚଳରେ ବ୍ୟାପକ କ୍ଷୟ କ୍ଷତି ପରେ ସ୍ଥିତିରେ ସୁଧାର ଆସିଛି ସତ । ଏ ଯାଏଁ ଗତ ଦୁଇ ସପ୍ତାହ ଧରି ଜାତୀୟ ରାଜପଥ ରେ ଅଟକି ରହିଛି ଶହ ଶହ ଗାଡି ମୋଟର । କାରଣ ଜଳ ନିଷ୍କାସନ ନହେବା କାରଣରୁ କିଲୋମିଟର କିଲୋମିଟର ଯାଏଁ ବିଜୟୱାଡା-ରାଂଚି ରାଜ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଗୋଦାବରୀର ପଛୁଆ ପାଣି ଯୋଗୁଁ ସୃଷ୍ଟି ହୋଇଛି ଏପରି ସ୍ଥିତି । ଦେଖନ୍ତୁ କନକ ନ୍ୟୁଜ ର ଏକ୍କକ୍ଲୁସିଭ ରିପୋର୍ଟ ।

ଜାତୀୟ ରାଜପଥ ଉପରେ ଅଟକି ରହିଛି ଟ୍ରକ । । ଜାତାୟାତ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସମେତ ଛତିଶଗଡ, ଆନ୍ଧ୍ର୍ର ଓ ତେଲେଙ୍ଗାନର ଅନେକ ଜିଲ୍ଲାରେ ସତେ ଯେମିତି ଅର୍ଥନୈତିକ ଅବରୋଧ କରିଛି ବନ୍ୟା ଜଳ । ଗତ ଦୁଇ ସପ୍ତାହ ଧରି ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁ ଠାରେ ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି । କାଙ୍ଗୋରୁକୋଣ୍ଡାରୁ ଜଳ ନିଷ୍କାସନ ପରେ ଏବେ ଯାନବାହନ ଅଟକିଛି ମୋଟୁ ଠାରେ । ଲଗାଣ ବର୍ଷା ଯୋଗୁଁ ମୋଟୁ ଆର ପଟେ ଥିବା ଆନ୍ଦ୍ର ପ୍ରଦେଶ ଚିନ୍ତୁର ମଣ୍ଡଳ କାଲେରୁ ଗାଁ ରେ ଦୁଇ କିଲୋମିଟର ଯାଏଁ ୩୨୬ ନଂ ଜାତୀୟ ରାଜପଥ ଉପରେ ବନ୍ୟା ଜଳ ପ୍ରବାହିତ ହୋଉଛି ।
ଆକାଶ ମାର୍ଗ ରୁ ଆସିଲା କାଲେରୁ ପୋଲର ଚିତ୍ର । କାଲେରୁ ଠାରେ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହୋଉଛି ଚିନା ଗୋଦାବରୀ ନଈ । ଗୋଦାବରୀ ନଈର ଜଳ ନିଷ୍କାସନ ନ ହୋଇ ପାରିବାରୁ ଏପରି ସ୍ଥିତି ଉପୁଜିଛି ଜାତୀୟ ରାଜପଥ ଉପରେ । ଚିନା ଗୋଦାବରୀ ନଈ ଗାଁ ଭିତରକୁ ମାଡି ଆସି ଥିବାରୁ କୋଲେରୁର ଉଭୟ ପାଶ୍ୱର୍ ରେ ଶହ ଶହ ଯାନ ବାହନ ଅଟକି ରହିଛି ।

କେବଳ ଯାନ ବାହନ ନୁହଁ, ଚିନା ଗୋଦାବରୀର ଜଳସ୍ତର ବୃଦ୍ଧି ଯୋଗୁ ଆନ୍ଧ୍ରପ୍ରଦେଶର ମଧ୍ୟ ହଜାର ହଜାର ହେକ୍ଟ ଜଙ୍ଗଲ ଓ ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି । ଘରଦ୍ୱାର ଜଳ ମଗ୍ନ ହୋଇ ପଡି ଥିବାରୁ ଜାତୀୟ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି ଅନେକ ପରିବାର । ଆଉ ଚିନା ଗୋଦାବରୀ ନଈର ଜଳ ସ୍ତର କମିବାକୁ ଅନେଇ ବସିଛନ୍ତି ନଈ କୁଳିଆ ଲୋକେ ।

ପୋଲାଭରମ ପ୍ରକଳ୍ପ ନ ହେଉଣୁ ଓଡିଶା ସମେତ, ଛତିଶଗଡ, ଆନ୍ଧ୍ର୍ର ଓ ତେଲେଙ୍ଗାନା ରେ ବ୍ୟାପକ କ୍ଷୟ କ୍ଷତି ଘଟାଇଛି ଚଳିତ ବନ୍ୟା । ଆଉ ପ୍ରକଳ୍ପ ହେଲେ ଏହି ସବୁ ଅଂଚଳ ସବୁ ଦିନ ପାଇଁ ନଈପାଣି ରେ ଲିନ ହେବା ସହ ଭୌଗଳିକ ମାନଚିତ୍ରରେ ବ୍ୟାପକ ପରିବର୍ତନ ଆଣିବା ନେଇ ଆଶଙ୍କା କରାଯାଉଛି ।