କନକ ବ୍ୟୁରୋ: ମଙ୍ଗଳବାର ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଇବା ପରେ ଜଳଭଣ୍ଡାରୁ ୧୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ତେବେ ଜଳଭଣ୍ଡାରରେ ୬୨୮ ଫୁଟରେ ଜଳସ୍ତରକୁ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।
ତଳମୁଣ୍ଡରେ ବର୍ଷା କମିଥିଲେ ବି ହୀରାକୁଦ ଜଳଭଣ୍ଡାରୁ ବନ୍ୟା ଜଳ ଆସୁଥିବାରୁ ମହାନଦୀ ଫୁଲିବାରେ ଲାଗିଛି । ନରାଜ ନିକଟରେ ମହାନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉପର ମୁଣ୍ଡରୁ ପାଣି ଆସୁଥିବାରୁ ଅଧିକ ଗେଟ୍ ମଧ୍ୟ ଖୋଲାଯାଇପାରେ । ତେବେ ମହାନଦୀରେ ବଡ ଧରଣର ବନ୍ୟା ଆସିବ ନାହିଁ, ନିମ୍ନ-ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଅନ୍ୟପଟେ ମହାନଦୀରେ ଜଳସ୍ତର ବଢ଼ିବା ପରେ ବିଭିନ୍ନ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଜଳସ୍ତର ବଢ଼ୁଥିବାରୁ ସଜାଗ ହୋଇଛି ଜଳସମ୍ପଦ ବିଭାଗ ।
ଏପଟେ ଆଗାମୀ ୧୭ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂଣ୍ଣିବଳୟ ସୃ୍ଷ୍ଟି ହେବାର ସମ୍ଭାବନା ଚିନ୍ତାର କାରଣ ହୋଇଛି । କିନ୍ତୁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଗାମୀ ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଅର୍ଥାତ ମହାନଦୀ ଅବବାହିକାରେ ବର୍ଷାର ପରିମାଣ କମ୍ ରହିବ ଏବଂ ବନ୍ୟା ଆଶଙ୍କା କମ୍ ରହିବ ।ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବାର ୩୬ ଘଣ୍ଟା ପରେ ମୁଣ୍ଡୁଳିରେ ସେହି ବନ୍ୟା ଜଳ ପ୍ରବାହିତ ହୁଏ । ଏବେ ହୀରାକୁଦର ୧୮ଟି ଗେଟ୍ ଖୋଲାଅଛି ଏବଂ ଆବଶ୍ୟକ ପଡିଲେ ଅଧିକ ଗେଟ୍ ମଧ୍ୟ ଖୋଲିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/41-4.jpg)