ବନ୍ୟା ଛାଡିଲା ହେଲେ କମୁନି ଲୋକଙ୍କ ଦୁର୍ଦ୍ଦଶା : ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ପରେ ସାମ୍ନାକୁ ଆସିଲା ଦୁଃଖଦାୟକ ଚିତ୍ର

ଆକାଶମାର୍ଗରୁ ପ୍ରଭାବିତ ଅଂଚଳର ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସମସ୍ତ ସହଯୋଗ ଯୋଗାଇବାକୁ ଦେଲେ ପ୍ରତିଶ୍ରୁତି

55

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ବର୍ଷା‌ ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୭୦ ଟପିଯାଇଛି । ୧୧ ଜଣ ଏବେ ବି ନିଖୋଜ ଅଛନ୍ତି । ରାଜ୍ୟରେ ୭ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି । ସବୁଠୁ ଖରାପ ପ୍ରଭାବିତ କୁମାଓଁରେ ଏଯାବତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗତକାଲି  ଆକାଶ ମାର୍ଗରୁ ଉତ୍ତରାଖଣ୍ଡର ବର୍ଷା ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଧାମୀ ମଧ୍ୟ ଥି‌ଲେ ।

ଉଲ୍ଲେଖ‌ଯୋଗ୍ୟ, ଗତ ୩ ଦିନ ଧରି ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଗତ ୧୯ ତାରିଖରେ ଉତ୍ତରାଖଣ୍ଡରେ ୪୫ରୁ ଅଧିକ ମୃତ୍ୟୁ ହୋଇଥିଲା । ଏଥିମଧ୍ୟରୁ ନୈନିତାଲରେ ସର୍ବାଧିକ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଲ୍‌ମୋରାରେ ୬, ଚମ୍ପାୱତରେ ୮, ଉଧମ ସିଂହ ନଗରରେ ୨ ଜଣଙ୍କର ଏବଂ ବାଗେଶ୍ବରରେ ଜଣଙ୍କ ମୃତ୍ୟୁ ହୋଇଛି । ଇତି ମଧ୍ୟରେ ଗତ ୧୮ ତାରିଖରେ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ୪ ଧାମ ଯାତ୍ରା ପୁଣି ଆରମ୍ଭ ହୋଇଛି ।

ସେପଟେ, ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ବରଫପାତ ଯୋଗୁଁ ଆଜି ୩ଟି ପୃଥକ୍‌ ସ୍ଥାନରେ ୧୦ ଟ୍ରେକର୍‌ଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଆଇଟିବିପିର ପୋର୍ଟର ଅଛନ୍ତି। ସେମାନେ ଉତ୍ତରକାଶୀ ଜିଲ୍ଲାର ଭାରତ-ଚୀନ୍‌ ସୀମାରେ ମୁତୟନ ହୋଇଥିଲେ। ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୬ ଜଣ ନିଖୋଜ ଥିବା ଜଣାପଡ଼ିଛି। ଏସ୍‌ଡିଆରଏଫ୍‌ ଡିଆଇଜି ରିଧିମ ଅଗ୍ରୱାଲ୍‌ କହିଛନ୍ତି, ୮ ଟ୍ରେକର, ଜଣେ ରୋଷେୟା, ୨ ଜଣ ଗାଇଡ୍‌ଙ୍କ ସମେତ ମୋଟ୍‌ ୧୧ ଜଣ ସଦସ୍ୟ ବିଶିଷ୍ଟ ଏକ ଦଳ ଗତ ୧୪ ତାରିଖରେ ଉତ୍ତରାଖଣ୍ଡର ହର୍ଶିଲ୍‌ରୁ ହିମା‌ଚଳପ୍ରଦେଶର ଚିତକୁଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

ତେବେ ୧୭ ତାରିଖରେ ପାଗ ହଠାତ୍ ଅତ୍ୟନ୍ତ ଖରାପ ହୋଇଯିବାରୁ ସେମାନଙ୍କ ସହ ଯୋଗା‌ଯୋଗ ବିଚ୍ଛିନ୍ନ ହୋଇଗଲା। ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି। ଅନ୍ୟମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଦ୍ବିତୀୟ ଘଟଣାରେ ଆଇଟିବିପିର ୩ଜଣ ପୋର୍ଟରଙ୍କର ପ୍ରବଳ ବରଫପାତ ଯୋଗୁଁ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ ବାଗେଶ୍ବର ଜିଲ୍ଲାର କୁମାଓଁ ଅଞ୍ଚଳରେ ମୋଟ୍‌ ୨୪ ଘ‌ରୋଇ ଟ୍ରେକରଙ୍କ ସମେତ ୬୦ ଜଣ ନିଖୋଜ ହୋଇଯାଇଥିଲେ । ଏମାନଙ୍କ ମଧ୍ୟରେ ୬ ଜଣ ବିଦେଶୀ ନାଗରିକ ଏବଂ ୩୦ ଜଣ ସ୍ଥାନୀୟ ଗ୍ରାମବାସୀ ଥିଲେ। ଏମାନଙ୍କ ମଧ୍ୟରୁ ୪ ‌‌ଟ୍ରେକରଙ୍କ ମୃତ୍ୟୁ ‌ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି ।