ତୋଫାନ ଇଡା ପରେ ଆମେରିକାରେ ବନ୍ୟା ପ୍ରଳୟ

141

କନକ ବ୍ୟୁରୋ: ଝଡ, ତୋଫାନ ପରେ ଲଗାଣ ବର୍ଷାରେ ବେହାଲ ଆମେରିକା । ଲଗାଣ ବର୍ଷା ଯୋଗୁଁ ଆମେରିକାର ୪ଟି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଏଠାକାର ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜରୁରୀକାଳିନ ପରୁସ୍ଥିତି ଘୋଷଣା କରାଯାଇଛି । ଆମେରିକାର ହରିକେନ ଇଡା ନ୍ୟୁ ଅରଲେସ୍, ଲ୍ୟୁସିୟାନା ସମେତ ଆଖପାଖ ସହର ଓ ରାଜ୍ୟରେ ୧୬ ଘଂଟା ଧରି ପ୍ରଳୟ ରଚିଥିଲା । ଆଉ ଏହାପରେ ପ୍ରବଳ ବର୍ଷାର ପ୍ରକୋପ ଜାରି ରହିଛି ।

ଗୁରୁବାର ହୋଇଥିବା ମୁଶଳଧାରାର ବର୍ଷା ଫଳରେ ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି ସମେତ ଆଖପାଖ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟ ସବୁ ବର୍ଷା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଏପରିକି ବର୍ଷା ପାଣିରେ କାର୍ ସବୁ ଭାସୁଥିବା ଦେଖିବାକୁ ମିଳିଛି । ଲୋକଙ୍କ ଘର ଏବଂ ବେସ୍ମେଂଟ୍ରେ ସବୁ ବର୍ଷା ପାଣି ଭରି ଯାଇଛି । ମେଟ୍ରୋ ଷ୍ଟେସନରେ ବି ବର୍ଷା ପାଣି ପଶିଯାଇଛି । ଫଳରେ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।

– ଲଗାଣ ବର୍ଷା ପାଇଁ ନ୍ୟୁୟର୍କ, ନ୍ୟୁଜର୍ସି, ମ୍ୟାରିଲ୍ୟାଣ୍ଡ, ପେନ୍ସିଲ୍ଭେନିଆ, ଭର୍ଜିନିଆରେ ବନ୍ୟା
– ବନ୍ୟାରେ ନ୍ୟୁଜର୍ସିର ୨୩ଜଣ, ନ୍ୟୁୟର୍କ ସହରରେ ୧୩ଜଣଙ୍କ ମୃତ୍ୟୁ
– ହଠାତ୍ ବନ୍ୟା ଫଳରେ ନ୍ୟୁଜର୍ସିର କୁଇନ୍ସଠାରେ ବେସ୍ମେଂଟ୍ରେ ପାଣି ପଶି ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା
– ୱାସିଂଙ୍ଗଟନ୍ ଡିସିରେ ଜଣେ ୧୯ ବର୍ଷର ପିଲା ବନ୍ୟାବେଳେ ନିଜ ମାଆଙ୍କୁ ଉଦ୍ଧାର କରିବାବେଳେ ମୃତ୍ୟୁ ବରଣ କରିଛି
– ବନ୍ୟା ପାଇଁ ନ୍ୟୁୟର୍କ ସହରରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି
– ନ୍ୟୁୟର୍କ, ନ୍ୟୁଜର୍ସିରେ ୩୭୦ଟି ବିମାନ ବାତିଲ ହୋଇଛି

ତୋଫାନ ଇଡା ଆଉ ତା ପରେ ବନ୍ୟାରେ ଦୋହଲି ଯାଇଛି ଆମେରିକା । ଦେଶରେ ବନ୍ୟଆ ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।