ଲଗାଣ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା । ପଢନ୍ତୁ, କେଉଁଠି କେମିତି ରହିଛି ସ୍ଥିତି…

105

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଯୋଗୁଁ ଅଚାନକ ଜଳକା ନଦୀରେ ବନ୍ୟା ଆସି ବାଲେଶ୍ୱର ଓ ମୟୂରଭଞ୍ଜରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି  । ରାତିରେ ସମସ୍ତେ ଶୋଇଥିବାବେଳେ ମୟୂରଭଞ୍ଜରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଥିଲା । ବିପଦ ସଙ୍କେତଠାରୁ ଢ଼େର ଉପରେ ପ୍ରବାହିତ ହୋଇଥିଲା ଜଳକାର ଜଳସ୍ତର । ଜଳସ୍ତର ବଢ଼ିବା ସହ ବସ୍ତା ବ୍ଲକର ବିଭିନ୍ନ ଗାଁରେ ପଶି ଯାଇଛି ।

ତେବେ ଜଳକା ନଦୀ ଫୁଲିବାରୁୁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ବସ୍ତା ଗାନ୍ଧିଛକ ରାସ୍ତାରେ ପ୍ରାୟ ୩ ଫୁଟର ଉଚ୍ଚ ଜଳକା ନଦୀର ବନ୍ୟାରେ ପାଣି ପ୍ରବାହିତ ହେଉଛି । ପେଜଗଳା ବରୁଣଗଡିଆ ରାସ୍ତାର ୫ ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ସେହିପରି କଟିପୋଲ ନୂଆ ଗାଁ ରାସ୍ତା ସମେତ ବସ୍ତା ବ୍ଲକର ପ୍ରାୟ ୧୫ଟି ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଜଳକା ଜଳସ୍ତର ବଢ଼ିବା ପରେ ବସ୍ତା ଥାନା ଭିତରେ ଲହଡି ଭାଙ୍ଗୁଛି ଜଳକା ନଦୀର ବନ୍ୟାଜଳ । ସେହିପରି ବିଦ୍ୟୁତ୍ କାର୍ଯ୍ୟାଳୟ ଓ ଅବକାରୀ ଅଫିସ ଭିତରେ ବି ପାଣି ପଶି ଯାଇଛି । ଅନେକ ଗାଁ ଭିତରେ ପାଣି ପଶିଯିବାରୁ ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ । ନଷ୍ଟ ହୋଇଛି ଶହ ଶହ ହେକ୍ଟର ଚାଷ ଜମିର ଫସଲ ।

ସେହିପରି ଜଳକାର ଜଳସ୍ତର ବଢ଼ିଯିବାରୁ ମୟୂରଭଞ୍ଜର ରାସଗୋବିନ୍ଦପୁର ବ୍ଲକ ରାଘବପୁର ପଞ୍ଚାୟତର ଏକତାଳିରେ ଏକ ଘାଇ ହୋଇଛି । ଘାଇ ଦେଇ ଜଳକା ନଦୀର ପାଣି, ଅନେକ ଗାଁ ଭିତରେ ପଶି ଯାଇଛି । ଫଳରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି ଓ ଲୋକଙ୍କ ଦୁର୍ଦ୍ଦଶା ବି ବଢିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶି ଯାଇଛି ।