କନକ ବ୍ୟୁରୋ: ପ୍ରକୃତିର ପ୍ରକୋପରେ କଲବଲ ହେଉଛି ପାକିସ୍ତାନ । ଆକାଶରୁ ଖସୁଛି ଆତଙ୍କ । ଯେଉଁଠି ନଜର ପଡୁଛି ସେଠି କେବଳ ପାଣି ହିଁ ପାଣି । ଦେଶର ବିଭିନ୍ନ ପ୍ରାନ୍ତ ବନ୍ୟା ପାଣିରେ ବୁଡି ରହିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ ପ୍ରାନ୍ତ । ବନ୍ୟା ବିଭୀଷିକାରୁ ବାଦ ପଡିନାହାଁନ୍ତି ସାଧାରଣ ଲୋକଙ୍କଠୁ ନେଇ ବିତ୍ତଶାଳୀ । ବର୍ତମାନ ସେଠାକାର ସ୍ଥିତି ଏମିତି ହୋଇଛି କି ଖାଦ୍ୟାଭାବ ସଙ୍କଟ ଭିତରେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇପଡିଛି ।

Advertisment

ବନ୍ୟା ସମସ୍ୟା ସବୁଠୁ ଅଧିକ ଘାତକ ସାବ୍ୟସ୍ତ ହେଉଛି ନବଜାତ ଓ ଗର୍ଭବତୀଙ୍କ ପାଇଁ । ସୂଚନା ଅନୁସାରେ ପ୍ରାୟ ୧୨ଲକ୍ଷ ଗର୍ଭବତୀଙ୍କ ଜୀବନ ଏବେ ବିପଦରେ । ସେପଟେ ନବଜାତ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଘେର ଭିତରେ ରହିଛି । ସେପଟେ ଦୂଷିତ ପରିବେଶ ଯୋଗୁଁ ମହାମାରୀ ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ବନ୍ୟା କେବଳ ମଣିଷ ପାଇଁ ସଙ୍କଟ ଆଣିନି ଜୀବଜନ୍ତୁ ବି ଛଟପଟ ହେଉଛନ୍ତି । ହଜାର ସଂଖ୍ୟକ ଜୀବଜନ୍ତୁ ମରଶରୀର ବନ୍ୟା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି ।

ସିନ୍ଧ ଓ ପଞ୍ଜାବ ପ୍ରାନ୍ତ ସହ ଅଧିକାଂଶ ଜିଲ୍ଲାରେ ୧୦ଲକ୍ଷ ଏକର ଜମି ବର୍ଷା ପାଣି ପଶିବା ଫଳରେ ବହୁ ବହ କ୍ଷତି ହୋଇଛି । ଆକଳନ କହୁଛି ପାକିସ୍ତାନରେ ପ୍ରାୟ ୨.୨ଲକ୍ଷ କୋଟିର ଚାଷ ନଷ୍ଟ ହୋଇଛି । ଏହା ଯୋଗୁଁ ପାକିସ୍ତାନ ଜିଡିପି ମଧ୍ୟ ଖସିଛି । ପାକିସ୍ତାନରେ ବନ୍ୟା କିଭଳି ପ୍ରଳୟ ଆଣିଛି ନାସାର ଏହି ଫଟୋରୁ ସ୍ପଷ୍ଟ ଜଣାପଡୁଛି ।

ପାକିସ୍ତାନରେ ବନ୍ୟା ପୀଡ଼ା:

• ବନ୍ୟା ଯୋଗୁଁ ୧୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

• ୬୬୮୯ କିଲୋମିଟର ରାସ୍ତା ବନ୍ୟାରେ ଭାସିଯାଇଛି

• ୨୦ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି ।

• ୩୫ଲକ୍ଷ ଲୋକଙ୍କ ଆଶ୍ରୟସ୍ଥଳୀରେ ରହୁଛନ୍ତି

ପାକିସ୍ତାନର ବନ୍ୟା ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦୂଷିତ ପରିବେଶ ଯୋଗୁଁ ଦେଶରେ ମହାମାରୀ ସଙ୍କଟ ଆଗକୁ ବଡ ସମସ୍ୟା ଆଣିପାରେ । ସେପଟେ ବନ୍ୟା ଘେରରେ ଥିବା ଦେଶରୁ ପାଣି ହଟିବା ପାଇଁ ଅତିକମରେ ୬ମାସର ସମୟ ଲାଗିବା ନେଇ ଆକଳନ କରାଯାଉଛି ।