ନିଆଳି ଦୀପାଞ୍ଚଳର ୭୨ଟି ମଉଜାକୁ ଡରାଉଛି ବନ୍ୟା । ନିମ୍ନ ଓ ମଧ୍ୟମ ଧରଣର ବର୍ଷା ହେଲେ ବି ଗାଁରେ ପଶୁଛି ପାଣି ।

81

କନକ ବ୍ୟୁରୋ: ବର୍ଷା ହେଲେ ଛାତି ଥରୁଛି, ବନ୍ୟାକୁ ନେଇ ଭୟ ବଢୁଛି । କଟକ ଜିଲ୍ଲା ନିଆଳି ଦ୍ୱୀପାଞ୍ଚଳବାସୀଙ୍କୁ ଡରାଉଛି ବର୍ଷା । ଶଗଡାଇଲୋ ପଞ୍ଚାୟତ କରଞ୍ଜ ଗାଁଟି ଦ୍ୱୀପାଞ୍ଚଳର ଶେଷ ଗାଁ । ଦେବୀ ଓ କନ୍ଦଳ ନଦୀର ମଝିରେ ରହିଛି ଏହି ଗାଁ । ପ୍ରାୟ ୧୩ ଶହ ଲୋକ ସଂଖ୍ୟା ବିଶିଷ୍ଟ ଏହି ଗାଁଟି ଦୁଇ ଭାଗରେ ବିଭକ୍ତ । ଗୋଟିଏ ଦେବୀ ନଦୀ କୂଳରେ ଆଉ ଗୋଟିଏ କନ୍ଦଳ ନଦୀ କୂଳରେ ରହିଛି । ଏବେ ଏହି ଗାଁରୁ ବନ୍ୟା ଭୟ ଘାରିଛି । ନିମ୍ନ ଓ ମଧ୍ୟମ ଧରଣର ବନ୍ୟା ହେଲେ ବି ଏହି ଗାଁରେ ପାଣି ପଶିଯାଏ, ଘରଦ୍ୱାର ଭାଙ୍ଗି ଯାଏ । ଆଗକୁ ବଙ୍ଗୋପସାଗରରେ ଲଗାତାର ଲଘୁଚାପ ହେଲେ ରାଜ୍ୟରେ ବର୍ଷା ବଢିବ । ଦେବୀ ନଦୀରେ ବନ୍ୟା ଆସିଲେ କରଞ୍ଜ ଗାଁରେ ପାଣି ପଶିଯିବ, ଯାହା ଲୋକଙ୍କ ନିଦ ହଜେଇ ଦେଇଛି ।

କେବଳ କରଞ୍ଜ ଗାଁ ନୁହେଁ, ଦେବୀ-କନ୍ଦଳ ଦ୍ୱୀପାଞ୍ଚଳ ୭୨ ମଉଜାକୁ ବନ୍ୟା ଆଶଙ୍କା ରହିଛି । କସର୍ଦା, ଏରଞ୍ଚ, ବରିଶଣ, ରାଣିଓଳା, ପଦାତିରା, ସଗଡାଇଲୋ, ସେଳଦା, ବରିଗୁଡି କୁଦ, ଦିଗି, ସୁଆଁଲୋ, କରଞ, ଗରପଦା, ଡିମିରି, ରହମା, ବାଲିଜଳ, ଭାଲିଆକଣ, ଭଡିଆସାହି, ପତ୍ରକଣା, କୁଶୁନପୁର, ଖଜରା, ବୋତାଖାଲ କୁଳଶ୍ରୀ ଓ ଅଳତଳଙ୍ଗ ଭଳି ଗାଁ ଜଳମଗ୍ନ ହେବାର ଭୟ ରହିଛି । ଗତ ଲଘୁଚାପ ବର୍ଷା ପାଣି ଏଯାଏଁ ଚାଷ ଜମିରୁ ନିଷ୍କାସନ ହୋଇ ପାରିନାହିଁ । କାରଣ ଦୀପାଞ୍ଚଳକୁ ଲାଗି ରହିଛିବା ଦୁଇଟି ନଦୀ ଦେବୀ ଓ କନ୍ଦଳ ଫୁଲି ରହିଛି । ସେହିପରି ନିଆଳି ବ୍ଲକର ଆଠ ପାରୀ–ସିଠାଳ, ଏକବେରୁଆଁ, ଶାଶନପଦା, ନାଟି, ପଳଶା, ଜଗତସିଂହପରୁ ଜିଲ୍ଲାର ଦୁଇଟି ଗାଁକୁ ବନ୍ୟା ଭୟ ରହିଛି ।