କଲବଲ କରୁଛି ବନ୍ୟା । ପୂର୍ଣ୍ଣମୀ ପାଇଁ ସମୁଦ୍ରରେ ବନ୍ୟାଜଳ ପହଂଚିବା ହେଉଛି ଡେରି, ସେପଟେ ବନ୍ୟା ନେଲାଣି ୧୭ ଜୀବନ

86

କନକ ବ୍ୟୁରୋ : ମୁଣ୍ଡଳୀରୁ ବର୍ତମାନ କାଠଯୋଡ଼ି ଓ ମହାନଦୀ ଦେଇ ବନ୍ୟାଜଳ ପ୍ରଭାବିତ ହେଉଛି । କାଠଯୋଡି ପଟେ ଦେବୀ, ଦୟା, ଭାର୍ଗବୀ, କୁଶଭଦ୍ରା ନଦୀ ଦେଇ ବନ୍ୟାଜଳ ସମୁଦ୍ରରେ ପହଂଚିବ । ସାଧାରଣତଃ ଏହା ୯ ଘଂଟା ସମୟ ଲାଗୁଥିବା ବେଳେ ପୂର୍ଣ୍ଣମୀ ପ୍ରଭାବ ଯୋଗୁଁ ବନ୍ୟାଜଳ ସମୁଦ୍ରରେ ପହଂଚିବା ପାଇଁ ୧୨ରୁ ୧୫ ଘଂଟା ସମୟ ଲାଗିବ । ଏହାର ପ୍ରଭାବରେ ଖୋର୍ଦ୍ଧ ଓ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିବ । ସେହିପରି ମହାନଦୀର ବାମପଟେ ଲୁଣା, ଚିତ୍ରୋତ୍ପଳା, ବିରୁପା ଦେଇ ବନ୍ୟାଜଳ ସମୁଦ୍ରରେ ପହଂଚିବ । ଆଉ ଏଠି ବି ପୂର୍ଣ୍ଣମୀ ପ୍ରଭାବ ଜଳନିଷ୍କାସନ ଉପରେ ପଡ଼ିବ ।

ଆଉ ଏହାର ପ୍ରଭାବ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାର ବନ୍ୟା ସ୍ଥିତି ଉପରେ ପଡ଼ିବ । ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ-ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଏବଂ ବ୍ରାହ୍ମଣୀ ରିଭର ସିଷ୍ଟମ୍ରେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ବ୍ରାହ୍ମଣୀ ରିଭର ସିଷ୍ଟମ୍ରେ ଆସୁଥିବା ରେଙ୍ଗାଲି ଡ୍ୟାମରେ ୪ଟି ଗେଟ୍ ଖୋଲା ଯାଇଥିଲା । ବର୍ତମାନ ୩ଟି ବନ୍ଦ ରହିଛି । ଆଗକୁ ସ୍ଥିତି ଦେଖି ଅବଶିଷ୍ଟ ଗୋଟିଏ ବନ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟରେ ବନ୍ୟା ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଟି ଜିଲ୍ଲାର ୧୧୨ ବ୍ଲକ୍ ପ୍ରଭାବିତ ହୋଇଛି । ମୋଟ୍ ୩୨୫୬ ଗାଁ ପ୍ରଭାବିତ ହୋଇଥିବା ବେଳେ ୩୪୦ ଗାଁ ଜଳବନ୍ଦୀରେ ରହିଛି । ସେହିପରି ୧୦ ହଜାର ୩୮୨ ଘର ନଷ୍ଟ ହୋଇଛି । ମୋଟ୍ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି ।